ଛାତ୍ର ଆନ୍ଦୋଳନ: ଅପରାଧିକ ରେକର୍ଡ ନଥିବା ୧୮ ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ପରୀକ୍ଷା ପ୍ରଶ୍ନପତ୍ର ଲିକ୍କୁ ନେଇ ସାରା ଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ ଗିରଫ କିମ୍ବା ଅଟକ ଥିବା ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟଙ୍କ ଠାରୁ ଆଶ୍ୱସ୍ତି ମିଳିଛି। ଅପରାଧିକ ରେକର୍ଡ ନଥିବା ୧୮ ବର୍ଷରୁ କମ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କେବଳ ସେତିକି ନୁହେଁ, ଜନ୍ତରମନ୍ତର ସମେତ ବିଭିନ୍ନ ରାଜ୍ୟରେ କକ୍ରୋଚ୍ ଜନତା ପାର୍ଟି (CJP) ନେତୃତ୍ୱରେ ହୋଇଥିବା ଆନ୍ଦୋଳନରେ ସାମିଲ ଛାତ୍ରଛାତ୍ରୀଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆର୍ ଆଧାରରେ ପରବର୍ତ୍ତୀ କୌଣସି ବଳପୂର୍ବକ ପଦକ୍ଷେପ ନିଆଯିବ ନାହିଁ ବୋଲି କୋର୍ଟ କହିଛନ୍ତି। ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଥିବା ତିନିଜଣିଆ ଖଣ୍ଡପୀଠ ଏହି ଅନ୍ତରୀଣ ଆଦେଶ ଜାରି କରିଛନ୍ତି। ତେବେ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଯେଉଁମାନଙ୍କର ଅପରାଧିକ ପୃଷ୍ଠଭୂମି ରହିଛି, ସେମାନଙ୍କୁ କିନ୍ତୁ ଏହି ସୁରକ୍ଷା ଦିଆଯିବ ନାହିଁ।
ପୁଲିସ ବର୍ବରତା ଅଭିଯୋଗର ସ୍ୱାଧୀନ ତଦନ୍ତ ସମ୍ଭବ
ଆନ୍ଦୋଳନ ସମୟରେ ପୁଲିସର ଅତ୍ୟଧିକ ବଳପ୍ରୟୋଗ ଓ ବର୍ବରତା ନେଇ ହୋଇଥିବା ଅଭିଯୋଗର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ ସ୍ୱାଧୀନ କମିଟି ଗଠନ କରାଯାଇପାରେ ବୋଲି ସୁପ୍ରିମକୋର୍ଟ ସଙ୍କେତ ଦେଇଛନ୍ତି। ଏହି ତଦନ୍ତରେ ପୁଲିସ ଉପରେ ହୋଇଥିବା ଆକ୍ରମଣର ଅଭିଯୋଗ ମଧ୍ୟ ସାମିଲ ରହିବ। ଏହା ସହିତ କେନ୍ଦ୍ର ସରକାର ଓ ମହାରାଷ୍ଟ୍ର, ବିହାର, ଆସାମ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି।
‘ଯିଏ ଆଇନ ହାତକୁ ନେଇଛି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ’
ଜୁଲାଇ ୨୦ରେ ସଂସଦ ଅଭିମୁଖେ ଶୋଭାଯାତ୍ରା ବେଳେ ଛାତ୍ର ଓ ପୁଲିସ ମଧ୍ୟରେ ହୋଇଥିବା ସଂଘର୍ଷ ସମେତ ବିଭିନ୍ନ ରାଜ୍ୟରେ ପୁଲିସ ଦମନକୁ ନେଇ ଦାଖଲ ହୋଇଥିବା ଏକାଧିକ ଆବେଦନର ଶୁଣାଣି କରୁଥିଲେ ସୁପ୍ରିମକୋର୍ଟ। ଆରଜେଡି ସାଂସଦ ମନୋଜ ଝାଙ୍କ ଆବେଦନରେ ବିହାରରେ ଜଣେ ପୁଲିସ ଅଧିକାରୀ ଆନ୍ଦୋଳନକାରୀଙ୍କ ବିରୋଧରେ AK-47 ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ କରାଯାଇଛି।
ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି କହିଛନ୍ତି, “ଘଟଣାର ସମ୍ପୂର୍ଣ୍ଣ ସ୍ୱାଧୀନ ତଦନ୍ତ ହେବା ଆବଶ୍ୟକ। ଯିଏ ଅତ୍ୟଧିକ ବଳପ୍ରୟୋଗ କରିଛି କିମ୍ବା ଆଇନକୁ ହାତକୁ ନେଇଛି, ତାଙ୍କ ବିରୋଧରେ ଦାୟିତ୍ୱ ନିର୍ଦ୍ଧାରଣ କରି କାର୍ଯ୍ୟାନୁଷ୍ଠାନ ହେବା ଦରକାର।” କେବଳ ସେତିକି ନୁହେଁ, ଆନ୍ଦୋଳନ ସମ୍ପର୍କିତ ସମସ୍ତ ସିସିଟିଭି ଫୁଟେଜ୍, ଡ୍ରୋନ୍ ଭିଡିଓ, ବଡି କ୍ୟାମେରା ରେକର୍ଡିଂ, ୱାୟାରଲେସ୍ ଯୋଗାଯୋଗ ଏବଂ PCR ଲଗ୍ ଆଦି ସଂରକ୍ଷଣ କରି ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଆନ୍ଦୋଳନକାରୀଙ୍କ ବ୍ୟକ୍ତିଗତ ସୂଚନା ଓ ଡିଜିଟାଲ୍ ତଥ୍ୟ ସାର୍ବଜନୀନ କରାଯିବ ନାହିଁ ବୋଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଆନ୍ଦୋଳନ ମୁକାବିଲା ପାଇଁ ନୂଆ ପୁଲିସ ପ୍ରୋଟୋକଲ୍ ଆବଶ୍ୟକ
ଜୁଲାଇ ୨୦ର ଆନ୍ଦୋଳନ ସମୟରେ ପେଲେଟ୍ ଗନ୍ ବ୍ୟବହାର ହୋଇଥିବା ଅଭିଯୋଗକୁ ନେଇ କୋର୍ଟ ଗୁରୁତ୍ୱ ଦେଇଛନ୍ତି। ପେଲେଟ୍ ଗନ୍ ଆଘାତରେ ଜଣେ ଯୁବକ ଦୃଷ୍ଟିଶକ୍ତି ହରାଇଥିବା ଅଭିଯୋଗ ମଧ୍ୟ କୋର୍ଟଙ୍କ ନଜରକୁ ଆସିଛି। ଏହାଛଡ଼ା ବିଦ୍ୟୁତ ବାଟନ୍ ଏବଂ କଣ୍ଟା ଲାଗିଥିବା ଲାଠି ବ୍ୟବହାର ହୋଇଥିବା ଅଭିଯୋଗର ମଧ୍ୟ ଉଲ୍ଲେଖ କରାଯାଇଛି। ଏନେଇ ପ୍ରଧାନ ବିଚାରପତି କହିଛନ୍ତି, “କେଉଁ ପ୍ରକାରର ଟିୟର ଗ୍ୟାସ୍ କିମ୍ବା ଅନ୍ୟ ଉପାୟ ବ୍ୟବହାର କରାଯିବ ଓ ତାହାର ସୀମା କ’ଣ ହେବ, ସେନେଇ ନୂଆ ପ୍ରୋଟୋକଲ୍ ଆବଶ୍ୟକ। ଶାନ୍ତିପୂର୍ଣ୍ଣ ପ୍ରତିବାଦ ଗଣତନ୍ତ୍ରର ଏକ ଅଂଶ।”
କେନ୍ଦ୍ରର ଯୁକ୍ତି: ଆନ୍ଦୋଳନରେ ଅପରାଧୀ ମଧ୍ୟ ପ୍ରବେଶ କରିଥିଲେ
କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେତା କହିଛନ୍ତି ଯେ, ଜୁଲାଇ ୨୦ର ହିଂସାରେ ପ୍ରାୟ ୨୫୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ସେ ଏକ ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ ଦାବି କରିବା ସହ କହିଥିଲେ ଯେ, ଛାତ୍ର ଆନ୍ଦୋଳନରେ ଅପରାଧୀମାନେ ମଧ୍ୟ ପ୍ରବେଶ କରିଥାଇପାରନ୍ତି। ସେ ଦାବି କରିଥିଲେ ଯେ, ଦୁଷ୍କର୍ମ ଏବଂ NDPS ଆଇନ ଅଧୀନରେ ମାମଲା ଥିବା କିଛି ଅଭିଯୁକ୍ତ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ଥିଲେ ବୋଲି ତୁଷାର ମେହେଟ୍ଟା କହିଛନ୍ତି। ଏହାର ଉତ୍ତରରେ ପ୍ରଧାନ ବିଚାରପତି କହିଥିଲେ ଯେ, ପୁଲିସ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିମାନେ ପ୍ରକୃତରେ ଛାତ୍ର ଥିଲେ କି ନାହିଁ, ତାହାର ମଧ୍ୟ ତଦନ୍ତ ହେବା ଦରକାର। ଦିଲ୍ଲୀ ପୁଲିସର ଏକ ଆଭ୍ୟନ୍ତରୀଣ ରିପୋର୍ଟ ଅନୁସାରେ, CJP ନେତୃତ୍ୱାଧୀନ ଆନ୍ଦୋଳନରେ ସାମିଲ ୯୮୯ ଜଣଙ୍କ ବିରୋଧରେ ପୂର୍ବରୁ ଦୁଷ୍କର୍ମ, ଡକାୟତି ଓ ଅପହରଣ ଭଳି ମାମଲା ରହିଥିବା ଦାବି କରାଯାଇଛି।
ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩ରେ
ସୋମବାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ, କେବଳ ଆନ୍ଦୋଳନ ହେଉଛି ବୋଲି ପୁଲିସ ଲାଠିଚାର୍ଜ କରିପାରିବ ନାହିଁ। ଶାନ୍ତିପୂର୍ଣ୍ଣ ଓ ଆଇନସମ୍ମତ ପ୍ରତିବାଦ କରିବା ସମ୍ବିଧାନ ପ୍ରଦତ୍ତ ଅଧିକାର ବୋଲି କୋର୍ଟ ମତ ପ୍ରକାଶ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩ ତାରିଖରେ ହେବ।