ଆଜି ବର୍ଷିବ କାଲି କମିବ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟାରେ ବର୍ଷା ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି ଯେ ବର୍ଷା ପ୍ରକୋପ ଶନିବାର ମଧ୍ଯ ଜାରି ରହିବ । ରବିବାରଠାରୁ ଧୀରେ ଧୀରେ ବର୍ଷା କମିବ।

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ଉପରେ ଲଘୁ ଚାପ ରହିଛି। ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହେବା ସମ୍ଭାବନା ଅଛି। ଏହା ପ୍ରଭାବରେ ଶନିବାର ସକାଳ ସୁଦ୍ଧା ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି। ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଅଞ୍ଚଳର ବହୁ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଶନିବାର ଦିନ ଭିତରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି।

ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ। ଏହାବାଦ୍ କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ପବନ ଏବଂ ବର୍ଷା ଆଶଙ୍କା ରହିଛି। ରବିବାର ବର୍ଷା ପରିମାଣ ଅନେକ ମାତ୍ରାରେ କମିପାରେ। ସୋମବାରଠାରୁ ବିଶେଷ ବର୍ଷା ସମ୍ଭାବନା ନାହିଁ । କେତେକ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ବହୁ ଜାଗାରେ ବର୍ଷା ରେକର୍ଡ ହୋଇଛି। ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି।

ଶୁକ୍ରବାର ସକାଳ ସୁଦ୍ଧା ଭବାନୀପାଟଣାରେ ୧୪୦ ମିଲିମିଟର, ମାଲକାନଗିରିରେ ୧୨୬.୬, ବାଲେଶ୍ଵରରେ ୬୫, ଚାନ୍ଦବାଲିରେ ୫୧.୨, ଟିଟିଲାଗଡ଼ରେ ୮୭.୨, ଛତ୍ରପୁରରେ ୬୫, ନୂଆପଡ଼ାରେ ୫୩, ପାରଳାଖେମୁଣ୍ଡିରେ ୫୩, ଗୋପାଳପୁରରେ ୫୬, କେନ୍ଦ୍ରାପଡ଼ାରେ ୪୪ ମିମି ବର୍ଷା ସମ୍ଭାବନା ଅଛି। ଶୁକ୍ରବାର ସକାଳରୁ ସନ୍ଧ୍ୟା ସୁଦ୍ଧା ମାଲକାନଗିରିରେ ୬୫ ମିମି ବର୍ଷା ହୋଇଥିବାବେଳେ ଅନେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି ।

Leave a comment