ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ ‘ଆଦିତ୍ୟ ଏଲ-୧’: ଇସ୍ରୋ
ନୂଆଦିଲ୍ଲୀ: ମହାକାଶ ଗବେଷଣା କ୍ଷେତ୍ରରେ ନୂତନ ଶିଖରରେ ପହଁଚିଛି ଭାରତ । ପୁଣି ସେପ୍ଟେମ୍ବରରେ ଲଞ୍ଚ ହେବ ମିଶନ ସୂର୍ଯ୍ୟ ‘ଆଦିତ୍ୟ ଏଲ-୧’। ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ଯାହାକୁ ନେଇ ପୁଣି ଭାରତବାସୀ ଏବଂ ବୈଜ୍ଞାନିକମାନେ ଉତ୍ସାହିତ ହୋଇଛନ୍ତି । ବହୁପ୍ରତୀକ୍ଷିତ ମୁନ୍ ମିଶନ ‘ଚନ୍ଦ୍ରଯାନ-୩’ର ଚନ୍ଦ୍ରପୃଷ୍ଠରେ ସଫଳ ଲ୍ୟାଣ୍ଡିଂ ପରେ ମିଶନ ଆଦିତ୍ୟ ଏଲ-୧ ଲଞ୍ଚ କରାଯିବା ନେଇ ସମ୍ଭାବିତ ସମୟ ଘୋଷଣା କରିଛି ଇସ୍ରୋ । ସୂର୍ଯ୍ୟ ଅଧ୍ୟୟନ ପାଇଁ ଆରମ୍ଭ ହୋଇଥିବା ମିଶନ ଆସନ୍ତାମାସ ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ । ସମ୍ଭବତଃ ଏହା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ.ସୋମନାଥ ।
ସୌରମଣ୍ଡଳର ସର୍ବାଧିକ ଉତପ୍ତ ନକ୍ଷେତ୍ର ‘ସୂର୍ଯ୍ୟ’କୁ ଅଧ୍ୟୟନ କରିବା ପାଇଁ ଏକ ମିଶନ ଆଦିତ୍ୟ ଏଲ-୧ ର ଲଞ୍ଚ ବିଷୟରେ ସୂଚନା ଦେଇ ଇସ୍ରୋ ମୁଖ୍ୟ ସୋମନାଥ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ଯେ ଯଦି ସବୁକିଛି ଯୋଜନା ଅନୁଯାୟୀ ଶେଷ ହୁଏ, ତେବେ ସମ୍ଭବତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହି ମିଶନ ଆରମ୍ଭ ହେବ । ଉତକ୍ଷେପଣ ହେବା ପରେ ଏକ ଆଲେପଟିକାଲ୍ କକ୍ଷପଥକୁ ଯିବ । ପରେ ସେଠାରୁ ଏହା ସୂର୍ଯ୍ୟର ଏଲ-୧ ପଏଣ୍ଟକୁ ଯାତ୍ରା କରିବ । ଏହି ଯାତ୍ରା ପ୍ରାୟ ୧୨୦ ଦିନ ଲାଗିବା ନେଇ ଏସ ସୋମନାଥ କହିଛନ୍ତି । ଏହା ଏଲ-୧ ପଏଣ୍ଟ ସୂର୍ଯ୍ୟକୁ ଅନୁଧ୍ୟାନ କରି ଇସ୍ରୋକୁ ତଥ୍ୟ ଦେବ । ଯାହା ମହାକାଶ ଗବେଷଣା କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।