ଆଜିଠୁ ମହାକୁମ୍ଭ ମେଳା । ୧୪୪ ବର୍ଷ ପରେ ଏଭଳି ଅଲୌକିକ ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକ ଓ ଆସ୍ଥାର ପ୍ରତୀକ ହେଉଛି ମହାକୁମ୍ଭ। ଶ୍ରଦ୍ଧାଳୁଙ୍କୁ ସ୍ୱତନ୍ତ୍ର ଅନୁଭୂତି ଦେବାକୁ ସବୁ ପ୍ରକାର ପ୍ରସ୍ତୁତି ହୋଇଛି । ଦେଶର ସମସ୍ତ ପ୍ରମୁଖ ଆଖଡ଼ାରୁ ସାଧୁ ସନ୍ଥ ପହଞ୍ଚି ସାରିଲେଣି । ଜାନୁଆରୀ ୧୩ରୁ ଫେବ୍ରୁଆରୀ ୨୬ ପର୍ୟ୍ୟନ୍ତ ଅନୁଷ୍ଠିତ ଏହି କୁମ୍ଭମେଳାରେ ଅନ୍ତର୍ଜାତୀୟ ପର୍ଯ୍ୟଟକ ସମେତ ପ୍ରାୟ ୪୦ କୋଟି ପର୍ଯ୍ୟଟକ ଯୋଗ ଦେବେ ।
ଏହି ଧାର୍ମିକ ଉତ୍ସବକୁ ଅନେକ ଭିଆଇପି, ଭିଭିଆଇପି ଓ କୋଟିପତି ମଧ୍ୟ ଆସିବେ ବୋଲି ଆଶା କରାଯାଉଛି । ଆଜି ପୌଷ ପୂର୍ଣ୍ଣିମା ଓ ମକର ସଂକ୍ରାନ୍ତି। ଏହି ଦୁଇ ଦିନ ସାହି ସ୍ନାନ ହେବ । ପ୍ରଥମେ ସାଧୁ ଓ ମଠ ମହନ୍ତମାନେ ସ୍ନାନ କରିବା ପରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ । ତା’ସହ ଦେଶ ଓ ବିଶ୍ୱର କୋଣ ଅନୁକୋଣରୁ ଆସୁଥିବା ଲକ୍ଷ ଲକ୍ଷ ଲୋକେ ବି ଯେପରି ସୁରୁଖୁରୁରେ ବୁଡ଼ ପକାଇବେ ସେଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି ।
ପ୍ରତି ୧୨ ବର୍ଷରେ ଆୟୋଜିତ ହେବାକୁଥିବା ଏହି ମେଳା ନା କେବଳ ଏକ ଧାର୍ମିକ ଆୟୋଜନ, ବରଂ ଭାରତର ପୌରାଣିକ ପରମ୍ପରା ଓ ଆଧ୍ୟାତ୍ମିକତାର ଉତ୍ସବ । ରାଜ୍ୟ ସରକାର ପୁଲିସ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ତୀର୍ଥଯାତ୍ରୀଙ୍କ ପାଇଁ ସବୁ ସୁବିଧା କରୁଛନ୍ତି । ଚଳିତବର୍ଷ ଏଥିରେ ଏଆଇ ପରି ଆଧୁନିକ ପ୍ରଯୁକ୍ତିକୁ ବି ବ୍ୟବହାର କରାଯାଉଛି । ମହାକୁମ୍ଭ ମେଳା ପାଇଁ ଡିଜିଟାଲ ସେଣ୍ଟର, ସିସିଟିଭି, ଏଲ୍ଇଡି ଡିସପ୍ଲେ, ଅତ୍ୟାଧୁନିକ ଏଆଇ ଚାଳିତ ଡାଟା ଆନାଲିଟିକ୍ସ ସଲ୍ୟୁସନ୍ ସିଷ୍ଟମ ସମେତ ଅନେକ ବୈଷୟିକ ବ୍ୟବସ୍ଥା କରାଯାଇଛି। ଏଥର ହଜିଲା ଲୋକଙ୍କୁ ଖୋଜିବା ପାଇଁ ତିଆରି ହୋଇଛି ଏକ ନିଆରା କେନ୍ଦ୍ର। ଏହାର ନାଁ ରଖାଯାଇଛି ‘ଭୁଲେ-ଭଟକେ କେନ୍ଦ୍ର’ ।