ରାଜ୍ୟରେ ନିଯୁକ୍ତି ସୃଷ୍ଟି କରିପାରୁନି ଏମଏସଏମଇ
ଜ୍ୟରେ ଗତ ୫ ବର୍ଷରେ ନ୍ୟୁନ ରହିଛି ଅଣୁ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗର ପ୍ରଦର୍ଶନ। ଏମଏସଏମଇ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ରାଜ୍ୟ ସେଭଳି ଭଲ ପ୍ରଦର୍ଶନ କରିପାରିନାହିଁ । ବିଶେଷ ଭାବେ ୧୧ ଜିଲ୍ଲାରେ ଶିଳ୍ପ ଅଭିବୃଦ୍ଧି ଏବଂ କର୍ମନିଯୁକ୍ତି ପଛେଇ ଯାଇଛି । ନଜର ପକାନ୍ତୁ ରାଜ୍ୟସଭାରେ ସାଂସଦ ସସ୍ମିତ୍ ପାତ୍ରଙ୍କ ଦ୍ବାରା ଦିଆଯାଇଥିବା ଏହି ଅଣତାରକା ପ୍ରଶ୍ନ ଉପରେ । ଓଡ଼ିଶା ଏମଏସଏମଇ ପଲିସି ୨୦୨୨ ଅନୁସାରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ, ନବରଙ୍ଗପୁର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଆଖିଦୃଶିଆ ଶିଳ୍ପ ଅଭିବୃଦ୍ଧି ହେଉନାହିଁ। ଶିଳ୍ପ ବଢିବା ଏବଂ କର୍ମନିଯୁକ୍ତି ଯୋଗାଇଦେବା କ୍ଷେତ୍ରରେ ଏହି ଜିଲ୍ଲାଗୁଡିକ ଅନ୍ୟ ଜିଲ୍ଲା ଠାରୁ ଯଥେଷ୍ଟ କମ୍ ଥିବା କହିଛନ୍ତି କେନ୍ଦ୍ର ଏମଏସଏମଇ ରାଷ୍ଟ୍ର ମନ୍ତ୍ରୀ ।
ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏମଏସଏମଇ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। କିନ୍ତୁ କାହିଁକି ଏହି ୧୧ ଜିଲ୍ଲାରେ ପଛେଇ ଯାଇଛି ଶିଳ୍ପ ସେନେଇ ପ୍ରଶ୍ନ ଉଠିଛି । ରାଜ୍ୟରେ ଏମଏସଏମଇ କ୍ଷେତ୍ରରେ ଅଭିବୃଦ୍ଧି ନହେବାର କିଛି ପ୍ରମୁଖ କାରଣ ଦର୍ଶାଇଛନ୍ତି ବିଶେଷଜ୍ଞ । ଲିଜ ହୋଲ୍ଡ ଜମି, ବ୍ୟାଙ୍କ୍ ଗୁଡ଼ିକ ଏମଏସଏମଇ ସେକ୍ଟର କୁ ଋଣ ଦେବାରେ କୁଣ୍ଠାବୋଧ ଭଳି ସମସ୍ୟା ଉଦ୍ୟୋଗୀଙ୍କୁ ବ୍ୟବସାୟ ପାଇଁ ନିରୁତ୍ସାହିତ କରୁଥିବା ଦର୍ଶାଯାଇଛି ।