ନିଯୁକ୍ତି ମେଳାରେ ୪୬୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି। ୪୬୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନରେ ଆୟୋଜିତ ନିଯୁକ୍ତି ମେଳାରେ ୪୭୬ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ମୁଁ ଆନନ୍ଦିତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନିଯୁକ୍ତି ପାଇଥିବା ସମସ୍ତ ପ୍ରାର୍ଥୀଙ୍କ ଏହି ସଫଳତା ପାଇଁ ଅଭିନନ୍ଦନ ଏବଂ ଶୁଭକାମନା ଜଣାଉଛି। ନିଜର ପରିଶ୍ରମ ଏବଂ ଦୀର୍ଘଦିନର ସାଧନା ବଳରେ ଆପଣ ସମସ୍ତେ ଏହି ସଫଳତା ହାସଲ କରିପାରିଛନ୍ତି। ଏହା କେବଳ ଏକ ନିଯୁକ୍ତି ନୁହେଁ, ସରକାରଙ୍କ ପ୍ରତିନିଧି ଭାବେ ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତିର ବିକାଶ ପାଇଁ ଆପଣ ପାଇଥିବା ଗୁରୁ ଦାୟିତ୍ଵର ଏହା ଏକ ସଂକଳ୍ପ ପତ୍ର ଅଟେ। ଲୋକଙ୍କ ସମସ୍ଯାର ସମାଧାନକୁ ଗୁରୁତ୍ଵ ଦେଇ ଆପଣ ସମସ୍ତେ ଅତ୍ୟନ୍ତ ନିଷ୍ଠା ଏବଂ ସମର୍ପିତ ସେବା ମନୋଭାବରେ କାର୍ଯ୍ୟ କରିବେ। ଆପଣ ସମସ୍ତଙ୍କ ଯୋଗଦାନ “ବିକଶିତ ଓଡ଼ିଶା” ନିର୍ମାଣକୁ ସାକାର କରିବ ବୋଲି ମୋର ପୂର୍ଣ୍ଣ ବିଶ୍ବାସ ରହିଛି।

ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଖୁବ୍‌ଶୀଘ୍ର ରାଜ୍ୟରେ ୩୫ ହଜାର ଯୁବତୀଯୁବକଙ୍କୁ ଯୋଗାଇ ଦିଆଯିବ ନିଯୁକ୍ତି। ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀକୁ ଦେଖି ବିଜ୍ଞାପନ ମଧ୍ୟ ପ୍ରକାଶ କରାଯିବ। ଖାଲି ପଡିଥିବା ପଦବୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ନିଯୁକ୍ତି ସମ୍ପର୍କରେ ଡିସେମ୍ବର ସୁଦ୍ଧା ବିଜ୍ଞାପନ ପ୍ରକାଶ କରାଯିବ।