ଆଇଟି କମ୍ପାନି ମାଇକ୍ରୋସଫ୍ଟ ଏହାର ୬୦ ହଜାର କର୍ମଚାରୀଙ୍କ ପାଇଁ ସ୍ବେଚ୍ଛାକୃତ ଚାକିରି ଛାଡ଼ିବା ଅଫର ଘୋଷଣା କରିଛି

ବିଶ୍ବର ପ୍ରମୁଖ ଆଇଟି କମ୍ପାନି ମାଇକ୍ରୋସଫ୍ଟ ଏହାର ୬୦ ହଜାର କର୍ମଚାରୀଙ୍କ ପାଇଁ ସ୍ବେଚ୍ଛାକୃତ ଚାକିରି ଛାଡ଼ିବା ଅଫର ଘୋଷଣା କରିଛି। ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଓ କାନାଡ଼ାର ଯୋଗ୍ୟ କର୍ମଚାରୀମାନୀ ଏହାର ଲାଭ ନେଇପାରିବେ। ବିଶ୍ବରେ ମାଇକ୍ରୋସଫ୍ଟର ମୋଟ କର୍ମଚାରୀଙ୍କ ମଧ୍ୟରେ ଉକ୍ତ ସଂଖ୍ୟା ପ୍ରାୟ ୨୭ ପ୍ରତିଶତ ହେବ। କାରଣ ୨୦୨୬ ଜୁନ ସୁଦ୍ଧା ସାରା ବିଶ୍ବରେ ମାଇକ୍ରୋସଫ୍ଟର ମୋଟ କର୍ମଚାରୀ ସଂଖ୍ୟା ୨,୨୩,୦୦୦ ଥିଲା।ଯେଉଁମାନେ କମ୍ପାନି ଛାଡ଼ିବା ପାଇଁ ଅଫରକୁ ଚୟନ କରିବେ ସେମାନଙ୍କ ପାଇଁ ଆର୍ଥିକ ସହାୟତା ଓ କ୍ୟାରିୟର ଯୋଜନା ଭଳି ସୁବିଧା ଯୋଗାଇ ଦିଆଯିବ। ଉଲ୍ଲେଖଯୋଗ୍ୟ, ସ୍ବେଚ୍ଛାକୃତ ଭାବେ ଚାକିରି ଛାଡ଼ିବା ପାଇଁ ବିଶ୍ବରେ ପ୍ରାୟ ୬୦ ହଜାର କର୍ମଚାରୀ ଯୋଗ୍ୟ। ଭାରତରେ ମାଇକ୍ରୋସଫ୍ଟର ୨୩ ହଜାର କର୍ମଚାରୀ କାର୍ଯ୍ୟ କରୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କେତେ କର୍ମଚାରୀ ଏହି ଯୋଜନା ପାଇଁ ଯୋଗ୍ୟ ତାହା ସ୍ପଷ୍ଟ ହୋଇନାହିଁ। ଏହି ଯୋଜନାର ଲାଭ ନେବା ପାଇଁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ କର୍ମଚାରୀମାନଙ୍କ ହାତରେ ସମୟ ଥିବା କୁହାଯାଉଛି। ଯୋଗ୍ୟ କର୍ମଚାରୀମାନେ ଏହି ଅଫର ସମ୍ପର୍କରେ ଇମେଲ୍‌ ପାଇବେ। କମ୍ପାନିର କାର୍ଯ୍ୟନିର୍ବାହୀ ଉପସଭାପତି ତଥା ଚିଫ୍‌ ପିପୁଲ୍‌ ଅଫିସର ଏମି କୋଲମ୍ୟାନ୍‌ କହିଛନ୍ତି ଯେ ଲେଭଲ ୭୦ ଏବଂ ତା’ଠାରୁ ତଳେ ଥିବା କର୍ମଚାରୀମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ। ଏଆଇ ଏକ୍ସପେରିଏନ୍‌ସେସ୍‌, କପିଲଟ୍‌, ଫାଇନାନ୍ସ, ମାନବ ସମ୍ବଳ, ଏକ୍ସବକ୍ସ, ୱିଣ୍ଡୋଜ୍‌ ଏବଂ ଡିଭାଇସେସ୍‌ ସମେତ ଅନ୍ୟାନ୍ୟ ଶାଖାର କର୍ମଚାରୀମାନେ ମଧ୍ୟ ଏହି ଅଫର ପାଇଁ ଯୋଗ୍ୟ ହେବ। ତେବେ ଏଥିରୁ ମାର୍କେଟିଂ, କମର୍ସିଆଲ ବିଜ୍‌ନେସ୍‌ ଓ ସୁରକ୍ଷା ଟିମ୍‌କୁ ବାଦ୍‌ ଦିଆଯାଇଛି। ଯେଉଁ କର୍ମଚାରୀମାନେ ଅଫର୍‌କୁ ଗ୍ରହଣ କରିବେ ସେମାନେ ଡିସେମ୍ବର ୩୧ ସୁଦ୍ଧା କମ୍ପାନି ଛାଡ଼ିବେ।

Leave a comment