ସର୍ପଦଂଶକୁ ନୋଟିଫାଏବଲ୍ ଡିଜିଜ୍ ବା ଅଧିସୂଚିତ ରୋଗ ଭାବେ ଘୋଷଣା କଲେ ସରକାର

ଅନେକ ସମୟରେ ସାପ କାମୁଡ଼ିବା ପରେ ଚିକିତ୍ସାରେ ବିଳମ୍ବ ଯୋଗୁଁ ରୋଗୀଙ୍କ ଜୀବନ ବିପଦରେ ପଡ଼ିଥାଏ । ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ଏହା ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା । ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ସର୍ପଦଂଶକୁ ନୋଟିଫାଏବଲ୍ ଡିଜିଜ୍ ବା ଅଧିସୂଚିତ ରୋଗ ଭାବେ ଘୋଷଣା କରିଛନ୍ତି ।

ଏଣିକି ସାପ କାମୁଡ଼ାର ସନ୍ଦିଗ୍ଧ, ସମ୍ଭାବ୍ୟ ଓ ନିଶ୍ଚିତ ମାମଲା ସହ ସର୍ପଦଂଶଜନିତ ମୃତ୍ୟୁର ରିପୋର୍ଟ କରିବା ସ୍ୱାସ୍ଥ୍ୟ ସଂସ୍ଥା ପାଇଁ ବାଧ୍ୟତାମୂଳକ ହେବ। ସରକାରୀ ଓ ଘରୋଇ ହସ୍ପିଟାଲ, ମେଡିକାଲ କଲେଜ ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଏ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କିମ୍ବା ସିଭିଲ୍ ସର୍ଜନଙ୍କୁ ସୂଚନା ଦେବେ । ଗୁରୁତର ମାମଲା ଓ ମୃତ୍ୟୁ ଘଟଣାରେ ତୁରନ୍ତ ରିପୋର୍ଟ କରିବାକୁ ପଡ଼ିବ ।

ସର୍ପଦଂଶର ସଠିକ୍ ତଥ୍ୟ ମିଳିଲେ ଅଧିକ ପ୍ରଭାବଶାଳୀ ଚିକିତ୍ସା ବ୍ୟବସ୍ଥା କରିବା ସହ ଆଣ୍ଟି-ସ୍ନେକ୍ ଭେନମ୍‌ର ଆବଶ୍ୟକତା ଥିବା ଅଞ୍ଚଳ ଓ ହସ୍ପିଟାଲ ଚିହ୍ନଟ କରାଯାଇପାରିବ । ଅଗଷ୍ଟ ୯ରେ ଗଡ଼ଚିରୋଲିର ଏକ ଆଶ୍ରମ ସ୍କୁଲରେ ବିଷାକ୍ତ ସାପ କାମୁଡ଼ିବାରୁ ୬ ଜଣ ଛାତ୍ରୀ ଆହତ ହୋଇଥିଲେ । ସେଥିରୁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣା ପରେ ସର୍ପଦଂଶ ଚିକିତ୍ସାକୁ ନେଇ ସରକାରଙ୍କ ଉଦ୍ୟମ ଜୋରଦାର ହୋଇଛି । ସାପ କାମୁଡ଼ିଲେ ଭୟଭୀତ ନହୋଇ ତୁରନ୍ତ ରୋଗୀଙ୍କୁ ହସ୍ପିଟାଲ ନେବା ଆବଶ୍ୟକ । କ୍ଷତସ୍ଥାନ କାଟିବା, ବିଷ ଚୁଷିବା କିମ୍ବା ଘରୋଇ ଉପଚାରରେ ସମୟ ନଷ୍ଟ ନକରିବାକୁ ପରାମର୍ଶ ଦିଆଯାଇଛି ।

Leave a comment