ରାଜଧାନୀରେ ଖୋଲିବା ଯାଉଛି କିଡ୍ନି ଓ ୟୁରୋଲୋଜି ବିଭାଗର ଏକ ସ୍ବତନ୍ତ୍ର ହସ୍ପିଟାଲ୍
କିଡ୍ନି ଓ ୟୁରୋଲୋଜି ବିଭାଗର ଏକ ସ୍ବତନ୍ତ୍ର ହସ୍ପିଟାଲ୍ ଖଣ୍ଡଗିରିରେ ଖୋଲିବାକୁ ଯାଉଛି। ହାଇଦ୍ରାବାଦର ସଂସ୍ଥା ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ନେଫ୍ରୋଲୋଜି ଆଣ୍ଡ୍ ନ୍ୟୁରୋଲୋଜି (ଏଆଇଏନ୍ୟୁ) ଏହି ହସ୍ପିଟାଲ୍କୁ ଖୋଲିବ। ଏଥିରେ ୪୦ଟି ଶଯ୍ୟା ରହିବ। କିଡ୍ନି ସମ୍ପର୍କିତ ସ୍ବତନ୍ତ୍ର ଚିକିତ୍ସା ହସ୍ପିଟାଲ୍ରେ ଉପଲବ୍ଧ ହେବ।ଆସନ୍ତା ଅଗଷ୍ଟଠାରୁ ହସ୍ପିଟାଲ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି କମ୍ପାନିର ସିଇଓ ସନ୍ଦୀପ ଗୁଦୁରୁ କହିଛନ୍ତି। ଓଡ଼ିଶାକୁ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ ଉନ୍ନତ କିଡ୍ନି ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ଓଡ଼ିଶାର ଲୋକମାନଙ୍କୁ ଆଉ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ। ଖଣ୍ଡଗିରିରେ ଖୋଲିବାକୁ ଯାଉଥିବା ହସ୍ପିଟାଲ୍ରେ ଅଭିଜ୍ଞ ଡାକ୍ତର ଓ ଅତ୍ୟାଧୁନିକ ପ୍ରଯୁୁକ୍ତି ଜରିଆରେ ଚିକିତ୍ସା ସେବା ଯୋଗାଇ ଦିଆଯିବ।
ଖଣ୍ଡଗିରି ହସ୍ପିଟାଲରେ କମ୍ପାନି ୪୦ କୋଟି ଟଙ୍କା ନିବେଶ କରୁଛି। ଆସନ୍ତା ୧୫ ମାସ ଭିତରେ ଏହା ଏବିଡ୍ଟା ପଜିଟିଭ୍ ହୋଇଯିବ ବୋଲି ଶ୍ରୀ ଗୁଦୁରୁ ଆଶା ପ୍ରକଟ କରିଛନ୍ତି। ଆଗାମୀ ଦିନରେ ନିଜର ହସ୍ପିଟାଲ୍ ନେଟ୍ୱର୍କକୁ ଦେଶର ଉତ୍ତର ଓ ପଶ୍ଚିମ ଭାଗରେ ସମ୍ପ୍ରସାରଣ କରିବାକୁ ଏଆଇଏନ୍ୟୁ ଲକ୍ଷ୍ୟ ରଖିଛି। ଭବିଷ୍ୟତ ଯୋଜନା ପାଇଁ ଏହା ପାଖରେ ୫୦୦ କୋଟି ଟଙ୍କାର ପାଣ୍ଠି ରହିଛି। ତାହାକୁ ନୂଆ ହସ୍ପିଟାଲ୍ ଖୋଲିବା, ପ୍ରଯୁକ୍ତି ଓ ଟିମ୍ରେ ନିବେଶ କରିବାରେ ବ୍ୟୟ କରାଯିବ। ବର୍ତ୍ତମାନ ଏଆଇଏନ୍ୟୁ ନେଟ୍ୱର୍କରେ ୭ଟି ହସ୍ପିଟାଲ୍ ରହିଛି। ଅଷ୍ଟମ ହସ୍ପିଟାଲ୍ ଭୁବନେଶ୍ବରରେ ଖୋଲିବାକୁ ଯାଉଛି। ଆସନ୍ତା ୨-୩ ବର୍ଷରେ କମ୍ପାନି ଏହାର ହସ୍ପିଟାଲ୍ ସଂଖ୍ୟା ୧୫ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ। କିଡ୍ନି ଓ ୟୁରୋଲୋଜି କ୍ଷେତ୍ରର ସ୍ବତନ୍ତ୍ର ହସ୍ପିଟାଲ୍କୁ ଅଧିଗ୍ରହଣ କରିବାକୁ ମଧ୍ୟ କମ୍ପାନି ଯୋଜନା ରଖିଥିବା ସେ କହିଛନ୍ତି।