ବିଶ୍ବ ମ୍ୟାଲେରିଆ ଦିବସ ,୨୦୩୦ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବାକୁ ଯୋଜନା
୩ ବର୍ଷ ହେଲାଣି କାୟା ମେଲାଇ ଚାଲିଛି ମ୍ୟାଲେରିଆ ରୋଗ । ବର୍ଷକୁ ୬୦ହଜାର ଟପିଲାଣି ରୋଗୀଙ୍କ ସଂଖ୍ୟା । ସଚେତନତା ଚାଲିଛି, ଔଷଧ ମଶାରି ବଣ୍ଟନ ହେଉଛି । ତଥାପି ବିସ୍ତାରିତ ହୋଇ ଚାଲିଛି ମ୍ୟାଲେରିଆ ପ୍ରଭାବିତ ଅଞ୍ଚଳ । ଯାହା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଲାଣି । ତଥ୍ୟ ଅନୁସାରେ, ୨୦୧୬ରେ ୪ଲକ୍ଷ ୪୪ହଜାର ୮୪୨ଜଣ ମ୍ୟାଲେରିଆ ପଜିଟିଭ ଚିହ୍ନଟ ହୋଇଥିଲେ । ୨୦୧୭ରେ ୩ଲକ୍ଷ ୪୭ହଜାର ୮୬୦ ପଜିଟିଭ ଚିହ୍ନଟ ହେଲେ । ବିଶେଷ ଭାବେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ସୁନ୍ଦରଗଡ଼, ରାୟଗଡ଼ା, ନୂଆପଡ଼ା, ବୌଦ୍ଧ, ବଲାଙ୍ଗିର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଅଧିକ ରୋଗୀ ବାହାରୁଥିଲେ ।
ସେହିପରି ୨୦୧୬-୧୭ରେ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଅଭିଯାନ(ଦମନ୍) ମ୍ୟାଲେରିଆକୁ ପ୍ରତିହତ କରିବାରେ ବଡ଼ ଭୂମିକା ନେଇଥିଲା । ଯାହା ଫଳରେ ରୋଗୀଙ୍କ ସଂଖ୍ୟା ଆଶାତୀତ ଭାବେ ଖସିଥିଲା । ୨୦୧୮ରେ ମୋଟ ୬୬,୩୧୧ଜଣ ରୋଗୀ ଚିହ୍ନଟ ହୋଇଥିଲେ । ୨୦୧୯ରେ ୩୯,୫୫୬, ୨୦୨୦ରେ ୪୧,୭୩୯, ୨୦୨୧ରେ ୨୫,୫୨୫, ୨୦୨୨ରେ ୨୩,୭୭୦ଜଣ ରୋଗୀ ଚିହ୍ନଟ ହୋଇଥିଲେ । ହେଲେ ଏହା ପରବର୍ଷଠୁ ରୋଗୀ ସଂଖ୍ୟା ପୁଣି ବଢ଼ିଚାଲୁଛି । ୨୦୨୩ରେ ୪୧,୯୭୩, ୨୦୨୪ରେ ୬୮,୬୩୯ ଓ ୨୦୨୫-୨୬ରେ ୬୧,୧୩୭ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଚିହ୍ନଟ କରିଛି । ରୋଗୀ ସଂଖ୍ୟା ବଢୁଥିବା ବେଳେ ପରୀକ୍ଷା ବି ଜୋରଦାର କରାଯାଉଛି । ବାର୍ଷିକ ରକ୍ତ ନମୁନା ପରୀକ୍ଷା ହାର ୨୦୨୫ରେ ୨୩.୨୧ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୨୪ରେ ଏହି ହାର ୨୨.୪୯ ପ୍ରତିଶତ ଥିଲା ।
କେବଳ ସେତିକି ନୁହେଁ, ୨୦୩୦ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବାକୁ ଯୋଜନା ରଖିଛନ୍ତି । ସେଥିପାଇଁ ଦୁର୍ଗମ ଅଞ୍ଚଳରେ ୮୫୩ଜଣ ବିକଳ୍ପ ଜ୍ୱର ଚିକିତ୍ସା କର୍ମୀଙ୍କୁ ନିୟୋଜିତ କରାଯାଇଛି । ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ହସ୍ପିଟାଲ, ଉପ-ଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ୬୬ଟି ମ୍ୟାଲେରିଆ ସେଣ୍ଟିନେଲ୍ ସାଇଟ୍ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ୪୮୯୦୫ଜଣ ଆଶାକର୍ମୀଙ୍କୁ ବିଭିନ୍ନ ଗ୍ରାମରେ ନିୟୋଜିତ କରାଯାଇଛି । ୨୦୨୨ରୁ ୨୦୨୭ ଯାଏ ଦମନ ଯୋଜନାକୁ ବୃଦ୍ଧି କରାଯାଇ ୫୦ କୋଟି ବ୍ୟୟବରାଦ ହୋଇଛି । ବୌଦ୍ଧ, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଭଳି ୨୧ଟି ଜିଲ୍ଲାରେ ମ୍ୟାଲେରିଆ ସକ୍ରିୟ ରହିଥିବାରୁ ସେଠାରେ କୀଟନାଶକ ସ୍ପ୍ରେ ମଶାରି ବଣ୍ଟନ ଚାଲିଛି । ୨୦୨୪-୨୫ରେ ୫୫.୫ଲକ୍ଷ ମଶାରି ବଣ୍ଟାଯାଇଥିଲା । ନିକଟରେ ଦମନ ବାବଦ ଟଙ୍କା ଖର୍ଚ୍ଚ ହେଉନଥିବା ନେଇ ୨୧ଟି ଜିଲ୍ଲାକୁ ଚିଠି ଲେଖିଥିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା । ତେଣୁ ଜିଲ୍ଲାସ୍ତରରେ ଦମନ ଯୋଜନାକୁ ନିୟମିତ ସମୀକ୍ଷା କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । କେବଳ ସେତିକି ନୁହେଁ, ଜିଲ୍ଲାସ୍ତରରେ ଆଗଭଳି ସଚେତନ ହେଉନଥିବା ଅଭିଯୋଗ ହେଉଛି । ତେବେ ଏସବୁ ପ୍ରତି ଧ୍ୟାନ ଦେବା ସମୟ ଆସିଛି ।