ଅନେକ ଔଷଧୀୟ ଗୁଣରେ ଭରପୂର ମସୁର ଡାଲି
ବର୍ତ୍ତମାନର ସମୟ ଏମିତି ହେଲାଣି ଯେ ଘରେ ଘରେ ରୋଗୀଙ୍କ ସଂଖ୍ୟା ବଢ଼ିଲାଣି । ଛୋଟ ଛୋଟ ସମସ୍ୟାରୁ ଆରମ୍ଭ ଏହି ରୋଗ କେବେ ଡାଏବେଟିସ୍ , ଗ୍ୟାଷ୍ଟ୍ରିକ୍ , ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ସମସ୍ୟାର ରୂପ ନେଉଛି ତାହା ଜାଣିବା କଷ୍ଟକର । ତେବେ ପ୍ରତିଦିନର ଦିନଚର୍ଯ୍ୟାରେ କିଛି ପରିବର୍ତ୍ତନ ଆଣିଲେ ଏଭଳି ସମସ୍ୟାରୁ ମୁକ୍ତି ମିଳିପାରିବ । ନିତିଦିନ ଔଷଧ ଖାଇବାଠାରୁ ଭଲ ଶସ୍ୟଜାତୀୟ ଖାଦ୍ୟ , ସବୁଜ ପନିପରିବାକୁ ନିଜ ଖାଦ୍ୟରେ ସାମିଲ କରିବା । ତେବେ ଆପଣ ଜାଣିଛନ୍ତି କି ଖାଦ୍ୟରେ ଏକ ବିଶେଷ ପ୍ରକାରର ଡାଲି ଖାଇଲେ ଏଭଳି ରୋଗରୁ ମୁକ୍ତି ମିଳିପାରିବ । ଯାହାର ନାଁ ହେଉଛି ମସୁର ଡାଲି । ଅନେକ ଔଷଧୀୟ ଗୁଣରେ ଭରପୂର ମସୁର ଡାଲି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାର୍ବୋହାଇଡ୍ରେଟ ଏବଂ ଡାଇଟାରୀ ଫାଇବରରେ ଭରପୂର ଏହି ଡାଲି ସେବନ ଦ୍ୱାରା ଓଜନ କମିଥାଏ ଏବଂ ହଜମ ପ୍ରକ୍ରିୟା ଠିକ୍ ରହିଥାଏ । ମସୁର ଡାଲି ମଧୁମେହ ରୋଗୀଙ୍କ ପାଇଁ ଆହୁରି ଅଧିକ ଭଲ । ଏହାଛଡ଼ା ହାଡ଼ ଏବଂ ଚର୍ମ ସମ୍ବନ୍ଧୀୟ ସମସ୍ୟା ପାଇଁ ମଧ୍ୟ ଏହା ଖୁବ୍ ଲାଭକାରୀ । ତେଣୁ ଯଦି ଆପଣ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଏହି ଡାଲିକୁ ଡାଏଟରେ ସାମିଲ କରନ୍ତୁ ।ପ୍ରୋଟିନ୍ ଏବଂ ଫାଇବରରେ ଭରପୂର ଏହି ଡାଲି ଖାଇବା ଦ୍ୱାରା ପେଟ ଅଧିକ ସମୟ ପର୍ଯ୍ୟନ୍ତ ଫୁଲ୍ ରହିଥାଏ ଯାହା ଫଳରେ ଭୋକ କମ୍ ଲାଗେ । ଏହି କାରଣରୁ ମସୁର ଡାଲି ଓଜନ କମାଇବାରେ ସହାୟକ ହୋଇଥାଏ । ଏହା ସହିତ ଡାଲିରେ ଫାଇବର ଥିବାରୁ ହଜମ ପ୍ରକ୍ରିୟା ମଧ୍ୟ ଠିକ୍ ରହିଥାଏ । ମସୁର ଡାଲି ଶରୀରରେ ବଢ଼ିଥିବା କୋଲେଷ୍ଟ୍ରଲକୁ କମ୍ କରିଥାଏ, ଯାହା ଫଳରେ ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କା ଯଥେଷ୍ଟ କମିଯାଏ । ଯେହେତୁ ଏହି ଡାଲିରେ ପ୍ରଚୁର ପରିମାଣରେ ଫାଇବର ଥାଏ ତେଣୁ ଏହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ମସୁର ଡାଲି ଆଣ୍ଟିମାଇକ୍ରୋବିଆଲ୍ ଗୁଣରେ ଭରପୂର, ଯାହା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏହି ଡାଲିରେ କ୍ୟାଲସିୟମ୍, ମାଗ୍ନେସିୟମ୍ ଏବଂ ଫସଫରସ ମଧ୍ୟ ଥାଏ, ଯାହା ହାଡ଼କୁ ମଜବୁତ କରିବାରେ ସହାୟକ ହୋଇଥାଏ । ମସୁର ଡାଲିର ସୁପ୍ ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । ମସୁର ଡ଼ାଲିର ଖେଚୁଡ଼ି କରି ମଧ୍ୟ ଆପଣ ଖାଇପାରିବେ ।