ହୃଦରୋଗ ସହ ଲଢ଼େଇ କରୁଛି ଭାରତ
ହୃଦରୋଗ ସହ ଲଢ଼େଇ କରୁଛି ଭାରତ । ଦିନକୁ ଦିନ ହୃଦରୋଗୀଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି । କେବଳ ବୟସ୍କ ନୁହଁନ୍ତି, କମ୍ ବୟସରେ ହୃଦରୋଗର ଶିକାର ହୋଇ ଜୀବନ ହାରୁଛନ୍ତି ଯୁବପିଢ଼ି । ଆମରି ଆଖି ଆଗରେ ଅନେକ ଯୁବ ସେଲିବ୍ରିଟି ହୃଦଘାତରେ ଜୀବନ ହାରିସାରିଲେଣି । ଆଉ ଯୁବପିଢ଼ି ହୃଦରୋଗର ଶିକାର ହେବା ପଛରେ ଅନେକ କାରଣ ରହିଛି । ପରିବର୍ତ୍ତନ ଜୀବନଶୈଳୀ, ମେଦବହୁଳତା, ମାନସିକ ଚାପ, ଅସୁସ୍ଥକର ଖାଦ୍ୟ ଏବଂ ନିଦ୍ରା ସମସ୍ୟା ଏସବୁର ମୁଖ୍ୟ କାରଣ ବୋଲି କୁହାଯାଉଛି । କେବଳ ଏତିକି ନୁହେଁ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କୋଲେଷ୍ଟ୍ରୋଲ୍ ମଧ୍ୟ ହୃଦରୋଗର ମୁଖ୍ୟ କାରଣ ଭାବେ ମୁଣ୍ଡଟେକିଛି । ବିଶେଷକରି ଯୁବପିଢ଼ି ଏଥିରେ ବଡ଼ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି । ଏସବୁ ଭିତରେ ୫ବର୍ଷର ଔଷଧ ବିକ୍ରି ନେଇ ଫାର୍ମରାକ୍ ପକ୍ଷରୁ ଏକ ରିପୋର୍ଟ ଆସିଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ ୫ବର୍ଷ ଭିତରେ ହୃଦରୋଗ ଔଷଧ ବିକ୍ରି ୫୦ ପ୍ରତିଶତକୁ ବୃଦ୍ଧି ପାଇଛି ।
୨୦୨୧ ଜୁନ୍ରେ ଦେଶରେ ମୋଟ ୧୭୬୧ କୋଟି ଟଙ୍କାର ହୃଦରୋଗ ଔଷଧ ବିକ୍ରି ହୋଇଛି, ଯାହା ୨୦୨୫ ଜୁନ୍ ମାସ ସୁଦ୍ଧା ୨,୬୪୫ କୋଟି ଟଙ୍କାରେ ପହଞ୍ଚିଛି । ଅର୍ଥାତ ଏ କ୍ଷେତ୍ରରେ ବାର୍ଷିକ ଅଭିବୃଦ୍ଧି ହାର ରହିଛି, ୧୦.୭ ପ୍ରତିଶତ । ଏବେ ଲୋକେ ସଚେତନ ହେଲେଣି, ଆଗୁଆ ପରୀକ୍ଷା କରି ରୋଗକୁ ଚିହ୍ନଟ କରି ଚିକିତ୍ସା ନେଲଣି । ଆଉ ଏହାକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି । ୨୦୨୪ରେ ଜାରି ହୋଇଥିବା ଆମେରିକାନ୍ ଲାଇବ୍ରେରୀ ଅଫ୍ ମେଡିସିନ୍ର ଏକ ରିପୋର୍ଟ ଅନୁସାରେ, ଭାରତୀୟ ସହରାଞ୍ଚଳରେ ୧୯୬୦ରେ କରୋନାରି ଧମନୀ ରୋଗ ବା(ସିଏଡି)ର ମାତ୍ରା ଥିଲା ୧ରୁ ୨ ପ୍ରତିଶତ । ଏହା ବିଗତ କିଛି ବର୍ଷ ମଧ୍ୟରେ ୧୦ରୁ ୧୨ ପ୍ରତିଶତକୁ ବୃଦ୍ଧି ପାଇଛି । ଗ୍ରାମାଞ୍ଚଳରେ ଏହା ୨ରୁ ୩ପ୍ରତିଶତରୁ ୪ରୁ ୬ ପ୍ରତିଶତକୁ ବୃଦ୍ଧି ପାଇଛି । ଭାରତରେ ୪୦ରୁ ୬୯ ବୟସ୍କ ଲୋକଙ୍କ ମଧ୍ୟରେ ୪୫ ପ୍ରତିଶତ ମୃତ୍ୟୁର କାରଣ ହେଉଛି ସିଭିଡି ବା କାର୍ଡିଓ ଭାସ୍କ୍ୟୁଲାର ଡିଜିଜ୍ । ୨୦୨୬ରେ ଭାରତରେ ସମସ୍ତ ପ୍ରକାର ମୃତ୍ୟୁ ମଧ୍ୟରୁ ୨୭ ପ୍ରତିଶତ କାରଣ ଥିଲା ସିଭିଡି ।
ଜୀବନ ବଞ୍ଚାଉଛି ସଚେତନତା
ରୋଗକୁ ଚିହ୍ନଟ କରିବା ପାଇଁ ଏବେ ଲୋକଙ୍କ ପାଖରେ ସବୁପ୍ରକାର ସୁବିଧା ପହଞ୍ଚିପାରୁଛି । ଫଳରେ ଆଗୁଆ ହୃଦରୋଗକୁ ଚିହ୍ନ କରାଯାଇପାରୁଛି । ବ୍ଲଡ୍ ପ୍ରେସର ମନିଟର ଏବଂ ହେଲ୍ଥ ସ୍କ୍ରିନିଂର ଉପଲବ୍ଧତା କାରଣରୁ ଚିକିତ୍ସା ଦ୍ରୁତ ବେଗରେ ହୋଇପାରୁଛି । ଲୋକେ ଔଷଧ ଖାଇ ସୁସ୍ଥ ହୋଇପାରୁଛନ୍ତି । ତେବେ ଯଦି ମଣିଷ ତାର ଜୀବନଶୈଳୀକୁ ପରିବର୍ତ୍ତନ କରେ, ବାହାର ଖାଦ୍ୟଠାରୁ ନିଜକୁ ଦୂରେଇ ରଖେ ଏବଂ ନିୟମିତ ବ୍ୟାୟାମ କରେ ତାହେଲେ ହୃଦରୋଗରୁ ବଞ୍ଚିତ ହୋଇପାରିବ ବୋଲି ବିଶେଷଜ୍ଞଙ୍କ ମତ ରହିଛି ।