ମୁକ୍ତିଲାଭ କରିସାରିଛି ବହୁ ପ୍ରତୀକ୍ଷିତ ‘ରାମାୟଣ’ ହେଲେ ଟପ୍-୧୦ ଓପନିଂ ତାଲିକାରେ ନାଁ ନାହିଁ
ବଲିଉଡର ସବୁଠାରୁ ବଡ଼ ତଥା ବହୁ ପ୍ରତୀକ୍ଷିତ ‘ରାମାୟଣ’ ମୁକ୍ତିଲାଭ କରିସାରିଛି । ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏବଂ ରଣବୀର କପୁର, ସାଇ ପଲ୍ଲଭୀ ତଥା ୟଶଙ୍କ ଭଳି ଦମଦାର୍ କଳାକାରଙ୍କୁ ନେଇ ପ୍ରସ୍ତୁତ ଏହି ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । କିନ୍ତୁ ବକ୍ସ ଅଫିସରେ ଫିଲ୍ମର ପ୍ରଥମ ଦିନର ଆୟ ଆଶାନୁରୂପ ନହେବା ସମସ୍ତଙ୍କୁ ଚକିତ କରିଛି ।
ରିପୋର୍ଟ ଅନୁସାରେ, ଫିଲ୍ମଟି ଗ୍ଲୋବାଲ ମାର୍କେଟରେ ପ୍ରଥମ ଦିନରେ ପ୍ରାୟ ୧୨୭.୫୦ କୋଟି ଟଙ୍କା (ଗ୍ରସ୍) ସଂଗ୍ରହ କରିଛି। ଏଥିରେ ଭାରତୀୟ ବଜାରର ନେଟ୍ ଆୟ ପ୍ରାୟ ୬୫ କୋଟି ଟଙ୍କା (ଗ୍ରସ୍ ପ୍ରାୟ ୭୭.୫୦ କୋଟି) ଏବଂ ବିଦେଶୀ ବଜାରରୁ ପ୍ରାୟ ୫୦ କୋଟି ଟଙ୍କା ସାମିଲ ରହିଛି। ଫିଲ୍ମର ବଜେଟ୍ ଏବଂ ଏହାର ପ୍ରମୋସନକୁ ଦୃଷ୍ଟିରେ ରଖି ଏହି ଆୟକୁ ବହୁତ କମ୍ ବୋଲି ବିବେଚନା କରାଯାଉଛି। ଟ୍ରେଡ୍ ଏକ୍ସପର୍ଟମାନେ ପ୍ରଥମ ଦିନରେ ଏହା ୧୫୦ରୁ ୧୬୦ କୋଟି ଟଙ୍କାରୁ ଅଧିକ ଆୟ କରିବ ବୋଲି ଆକଳନ କରିଥିଲେ।
ଟପ୍-୧୦ ଓପନିଂ ତାଲିକାରେ ନାଁ ନାହିଁ
ବଲିଉଡ଼ର ସବୁଠାରୁ ମହଙ୍ଗା ଏବଂ ବଡ଼ ସିନେମା ହୋଇବି ‘ରାମାୟଣ’ ପ୍ରଥମ ଦିନର ବିଶ୍ୱବ୍ୟାପୀ ଆୟରେ ଭାରତୀୟ ସିନେମାର ସର୍ବକାଳୀନ ଶ୍ରେଷ୍ଠ ୧୦ଟି ଓପନିଂ ଫିଲ୍ମର ତାଲିକାରେ ମଧ୍ୟ ସ୍ଥାନ ପାଇପାରିନାହିଁ। ଏପରିକି ପୂର୍ବରୁ ସମାଲୋଚିତ ହୋଇଥିବା ପ୍ରଭାସଙ୍କ ‘ଆଦିପୁରୁଷ’ ଫିଲ୍ମର ପ୍ରଥମ ଦିନର ଓପନିଂ ରେକର୍ଡ଼କୁ ମଧ୍ୟ ଏହା ପଛରେ ପକାଇବାରେ ବିଫଳ ହୋଇଛି।
ଭାରତରେ କିପରି ରହିଛି ପ୍ରଦର୍ଶନ ?
ଭାରତୀୟ ବଜାରରେ ଫିଲ୍ମଟି ହିନ୍ଦୀ ଭାଷାରୁ ସର୍ବାଧିକ ପ୍ରାୟ ୪୭.୫୦ କୋଟି ଟଙ୍କା ଆୟ କରିଥିବାବେଳେ ଦକ୍ଷିଣ ଭାରତୀୟ ଭାଷାଗୁଡ଼ିକରେ ଆଶାନୁରୂପକ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ୟଶ ଥିବା ସତ୍ତ୍ବେ କନ୍ନଡ଼ ଏବଂ ଅନ୍ୟାନ୍ୟ ଭାଷାଭାଷୀ ଅଞ୍ଚଳରେ ପ୍ରାରମ୍ଭିକ ଆୟ ସାମାନ୍ୟ ମନ୍ଥର ରହିଛି। ତଥାପି, ଶନିବାର ଏବଂ ରବିବାର ଛୁଟିଦିନଗୁଡ଼ିକରେ ଫିଲ୍ମର ବ୍ୟବସାୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।