ଚଳଚ୍ଚିତ୍ର ‘ହନୁମାନ ଅଂଶ’ରେ ଗୀତ ଗାଇ ଦୃଷ୍ଟିଶକ୍ତି ଫେରିପାଇଲେ ଗାୟକ ସୁନୀଲ ଲୋଧୀ

ସଂସାରରେ କିଛି ଲୋକଙ୍କ ପାଇଁ ଶାରୀରିକ ଅକ୍ଷମତା ଅଭିଶାପ ପାଲଟି ଯାଉଥିବା ବେଳେ, ଆଉ କିଛି ଲୋକ ନିଜ ସାଧନା ଓ ନିଷ୍ଠା ବଳରେ ସେହି ଅନ୍ଧାରକୁ ମଧ୍ୟ ଆଲୋକିତ କରିଦିଅନ୍ତି । ଏଭଳି ଏକ ଅବିଶ୍ୱସନୀୟ ତଥା ହୃଦୟସ୍ପର୍ଶୀ କାହାଣୀ ସୃଷ୍ଟି କରିଛନ୍ତି ମଧ୍ୟପ୍ରଦେଶ ସାଗର ଜିଲ୍ଲା ବୁନ୍ଦେଲଖଣ୍ଡର ଦିବ୍ୟାଙ୍ଗ ଯୁବ ଗାୟକ ସୁନୀଲ ଲୋଧୀ । ଦୁଇ ଆଖିରେ ଅନ୍ଧାର ଥିଲେ ମଧ୍ୟ କଣ୍ଠରେ ଥିବା ଦିବ୍ୟ ଶକ୍ତି ଆଜି ତାଙ୍କୁ ସାରା ଦେଶରେ ଚର୍ଚ୍ଚାର ଶୀର୍ଷରେ ପହଞ୍ଚାଇ ଦେଇଛି ।

ନୀମ କରୋଲି ବାବାଙ୍କ ଦିବ୍ୟ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ହନୁମାନ ଅଂଶ’ ବକ୍ସ ଅଫିସରେ ଇତିହାସ ରଚିଛି। ମାତ୍ର ୨ କୋଟି ଟଙ୍କାର ସ୍ୱଳ୍ପ ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ସୁଦ୍ଧା ୧୧୧ କୋଟିରୁ ଅଧିକ ଆୟ କରି ସମସ୍ତଙ୍କୁ ଚକିତ କରିଦେଇଛି। ଏହି ଫିଲ୍ମର ସଫଳତା ପଛରେ ଏହାର ଭାବପୂର୍ଣ୍ଣ ସଙ୍ଗୀତର ବଡ଼ ଭୂମିକା ରହିଛି । ବିଶେଷ କରି ସୁନୀଲ ଲୋଧୀଙ୍କ କଣ୍ଠରେ ଗାନ କରାଯାଇଥିବା ଭଜନ ‘ମୈନେ ତେରେ ହି ଭରୋସେ’ କୋଟି କୋଟି ଶ୍ରୋତା ଓ ହନୁମାନ ଭକ୍ତଙ୍କ ହୃଦୟକୁ ଛୁଇଁପାରିଛି। ହାତରେ ତମ୍ବୁରା ଧରି ସୁନୀଲ ଯେତେବେଳେ ଭକ୍ତିର ସୁର ଛାଡ଼ନ୍ତି, ତାହା ଶୁଣି ଯେକେହି ବି ଭାବବିହ୍ୱଳ ହୋଇପଡ଼େ ।

ସୁନୀଲଙ୍କ ଏହି ଅସାଧାରଣ ପ୍ରତିଭା ବିଷୟରେ ଜାଣିବା ପରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ତାଙ୍କୁ ଭୋପାଳସ୍ଥିତ ମୁଖ୍ୟମନ୍ତ୍ରୀ ଆବାସକୁ ନିମନ୍ତ୍ରଣ କରିଥିଲେ। ଗତ ୪ ସେପ୍ଟେମ୍ବରରେ ସୁନୀଲ ନିଜ ପିତାମାତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତମ୍ବୁରା ବଜାଇ ଭଜନ ଶୁଣାଇଥିଲେ। ସୁନୀଲଙ୍କ ମନଛୁଆଁ ଗାୟନରେ ଅଭିଭୂତ ହୋଇ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଯେ ରାଜ୍ୟ ସରକାର ସୁନୀଲଙ୍କ ଆଖିର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବେ ଏବଂ ବିଶେଷଜ୍ଞ ଡାକ୍ତରଙ୍କ ସହାୟତାରେ ତାଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିବା ପାଇଁ ସମସ୍ତ ପ୍ରୟାସ କରାଯିବ। ଏହାସହ ତାଙ୍କୁ ୧ ଲକ୍ଷ ଟଙ୍କାର ସମ୍ମାନ ରାଶି ପ୍ରଦାନ କରାଯିବା ସହ ସଙ୍ଗୀତ ଶିକ୍ଷାର ସମସ୍ତ ସହାୟତା ଏବଂ ରାଜ୍ୟ ସଂସ୍କୃତି ବିଭାଗ ସହିତ ଯୋଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନିଜ ଭକ୍ତି ଓ ସାଧନାକୁ ସମ୍ବଳ କରି ସୁନୀଲ ଯେଉଁ ଉଚ୍ଚତା ଛୁଇଁଛନ୍ତି, ତାହା କୋଟି କୋଟି ଯୁବପିଢ଼ିଙ୍କ ପାଇଁ ବଡ଼ ପ୍ରେରଣା। ସୁନୀଲ ବିନମ୍ରତାର ସହ କୁହନ୍ତି, “ଏହା କେବଳ ପ୍ରଭୁ ହନୁମାନଜୀଙ୍କ ଅପାର କୃପାର ଫଳ ।” ଯେଉଁ ସ୍ୱର ଆଜି ଲକ୍ଷ ଲକ୍ଷ ଲୋକଙ୍କ ଆତ୍ମାକୁ ଶାନ୍ତି ଦେଉଛି, ସେହି ସ୍ୱର ହିଁ ଆଜି ତାଙ୍କ ଆଖିକୁ ପୁଣି ନୂଆ ଆଲୋକ ଓ ସୁନ୍ଦର ଦୁନିଆ ଦେଖିବାର ଆଶା ଦେଖାଇଛି। ସୁନୀଲଙ୍କ କାହାଣୀ ପ୍ରମାଣ କରେ ଯେ ନିଷ୍ଠା ଓ ଈଶ୍ୱର ବିଶ୍ୱାସ ଥିଲେ କୌଣସି ପ୍ରତିବନ୍ଧକ ମଣିଷର ଲକ୍ଷ୍ୟ ପଥରେ ବାଧା ସାଜିପାରିବ ନାହିଁ

Leave a comment