କୌନ୍ ବନେଗା କରୋଡ଼ପତି ହଟ୍ ସିଟ୍ରେ ‘ବିଶ୍ୱର ସବୁଠାରୁ ଛୋଟ ଡାକ୍ତର’, ପ୍ରକାଶ କଲେ ଜୀବନର ଭାବପ୍ରବଣ ଘଟଣା
କୌନ୍ ବନେଗା କରୋଡ଼ପତି ସିଜନ୍ ୧୮ର ସଦ୍ୟ ପ୍ରସାରିତ ଏପିସୋଡରେ ହୋଷ୍ଟ ଅମିତାଭ ବଚ୍ଚନ ଗ୍ରାଣ୍ଡ ଏଣ୍ଟ୍ରି କରି ଦର୍ଶକଙ୍କୁ ସ୍ୱାଗତ କରିଥିଲେ । ଏହାପରେ ହୋଇଥିଲା ଫାଷ୍ଟେଷ୍ଟ ଫିଙ୍ଗର୍ ଫର୍ଷ୍ଟ ରାଉଣ୍ଡ। ଏହି ରାଉଣ୍ଡରେ ଗୁଜରାଟର ଗୋର୍ଖୀ ଗାଁର ଗଣେଶ ବାରେୟା ହଟ୍ ସିଟ୍ରେ ବସିବାର ସୁଯୋଗ ପାଇଥିଲେ ।
ଏପିସୋଡରେ ଗଣେଶ ନିଜ ଜୀବନ ଏବଂ ଡାକ୍ତର ହେବା ପାଇଁ କରିଥିବା ସଂଘର୍ଷ ବିଷୟରେ କହିଥିଲେ । ଭାବନଗର ଜିଲ୍ଲାର ଗୋର୍ଖୀ ଗାଁର ଗଣେଶଙ୍କ ଉଚ୍ଚତା ମାତ୍ର ୩ ଫୁଟ୍ ୪ ଇଞ୍ଚ । ତାଙ୍କର ଡ୍ୱାର୍ଫିଜମ୍ ରହିଛି ଏବଂ ସେ ୭୨ ପ୍ରତିଶତ ଲୋକୋମୋଟର୍ ଡିସେବିଲିଟିର ସମ୍ମୁଖୀନ ହେଉଛନ୍ତି । ଶାରୀରିକ ସମସ୍ୟା ସତ୍ତ୍ୱେ ପାଠପଢ଼ାରେ ଗଣେଶ ବେଶ୍ ଭଲ କରିଥିଲେ । ଦ୍ୱାଦଶ ଶ୍ରେଣୀରେ ସେ ୮୭ ପ୍ରତିଶତ ନମ୍ବର ରଖିଥିଲେ । ଏହାସହ ନିଟ୍ ପରୀକ୍ଷାରେ ତାଙ୍କର ଅଲ୍ ଇଣ୍ଡିଆ ରାଙ୍କ୍ ୨୩୩ ଥିଲା । ତେବେ ଡାକ୍ତର ହେବାର ରାସ୍ତା ଗଣେଶଙ୍କ ପାଇଁ ସହଜ ନଥିଲା । ତାଙ୍କର ଶାରୀରିକ ଅକ୍ଷମତା ଦର୍ଶାଇ ପ୍ରଥମେ ତାଙ୍କୁ ଏମ୍ବିବିଏସ୍ ପାଠ୍ୟକ୍ରମରେ ଆଡମିଶନ୍ ଦିଆଯାଇନଥିଲା ।
କିନ୍ତୁ ଗଣେଶ ହାର ମାନିନଥିଲେ । ତାଙ୍କ ସ୍କୁଲର ପ୍ରିନ୍ସିପାଲ୍ ଦଲପତ କାଟାରିଆ ତାଙ୍କୁ ପୂରା ସମର୍ଥନ କରିଥିଲେ । ଉଭୟେ ମିଶି ଏହି ନିଷ୍ପତ୍ତି ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପରେ କୋର୍ଟ ଗଣେଶଙ୍କ ସପକ୍ଷରେ ରାୟ ଦେଇଥିଲେ । ଦିବ୍ୟାଙ୍ଗଜନଙ୍କ ଅଧିକାର ଆଇନ, ୨୦୧୬ ଅନୁସାରେ ତାଙ୍କୁ ଡାକ୍ତରୀ ପଢ଼ା ଜାରି ରଖିବାର ସୁଯୋଗ ମିଳିଥିଲା । ଆଜି ଗଣେଶ ଗୁଜରାଟର ଭାବନଗରର ଏକ ହସ୍ପିଟାଲର ଶିଶୁରୋଗ ବିଭାଗରେ କାମ କରୁଛନ୍ତି । ନିଜର ଶିକ୍ଷା ଓ କଠିନ ପରିଶ୍ରମ ପାଇଁ ସେ ‘ବିଶ୍ୱର ସବୁଠାରୁ ଛୋଟ ଡାକ୍ତର’ ଭାବେ ମଧ୍ୟ ପରିଚିତ ହୋଇଛନ୍ତି ।
କେବିସିରେ ନିଜ ଜୀବନର ଏକ ଭାବପ୍ରବଣ ଘଟଣା ମଧ୍ୟ ଗଣେଶ ସେୟାର୍ କରିଥିଲେ । ସେ କହିଥିଲେ, ପିଲାଦିନେ ଯେତେବେଳେ ସେ ପ୍ରାଥମିକ ସ୍କୁଲ୍ରେ ପଢ଼ୁଥିଲେ, ଏକ ସର୍କସ୍ ଦଳ ତାଙ୍କ ଘରକୁ ଆସିଥିଲା । ସେମାନେ ଗଣେଶଙ୍କୁ ସାଙ୍ଗରେ ନେବା ପାଇଁ ତାଙ୍କ ବାପାଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଗଣେଶଙ୍କ ବାପା ଟଙ୍କା ବଦଳରେ ପୁଅର ପାଠପଢ଼ାକୁ ବାଛିଥିଲେ । ଏହି ଘଟଣା କହିବା ସମୟରେ ଗଣେଶ ଭାବପ୍ରବଣ ହୋଇ କହିଥିଲେ- “ମୋ ବାପା ଟଙ୍କା ବଦଳରେ ପାଠପଢ଼ାକୁ ବାଛିଥିଲେ ।” ତେବେ କେବିସିରେ ଗଣେଶ ୩ ଲକ୍ଷ ଟଙ୍କାର ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିନଥିଲେ । ଅମିତାଭ ବଚ୍ଚନ ତାଙ୍କ ସାମ୍ନାରେ ଲାଲକିଲ୍ଲା, ତାଜମହଲ, ମୀନାକ୍ଷୀ ମନ୍ଦିର ଏବଂ ଚାରମିନାରର ଫଟୋ ଦେଖାଇଥିଲେ।
ପ୍ରଶ୍ନ ଥିଲା- ଏହି ସ୍ମାରକଗୁଡ଼ିକ ମଧ୍ୟରୁ କେଉଁଟି ଗୁଜରାଟର ଉତ୍ତର ଦିଗରେ ଅବସ୍ଥିତ?
ଗଣେଶ ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରିନଥିବାରୁ ତାଙ୍କ ଖେଳର ରାଶି ୩ ଲକ୍ଷ ଟଙ୍କାରୁ କମି ୨୫ ହଜାର ଟଙ୍କା ହୋଇଯାଇଥିଲା ।