‘ଡନ୍ 3’ ବିବାଦ : ମଧ୍ୟସ୍ଥତା ପାଇଁ ଆଗକୁ ଆସିଲେ ‘ଭାଇଜାନ’ ସଲମାନ ଖାନ

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଡନ୍ 3’କୁ ନେଇ ଚାଲିଥିବା ବିବାଦ ବଲିଉଡ଼ରେ  ଚର୍ଚ୍ଚାର ବିଷୟ ପାଲଟିଛି। ଅଭିନେତା ରଣବୀର ସିଂହ ହଠାତ୍ ଫିଲ୍ମରୁ ପଛକୁ ହଟିବା ପରେ ନିର୍ଦ୍ଦେଶକ ଫରହାନ ଅଖତରଙ୍କ ସହ ତାଙ୍କର ମତଭେଦ ବଢ଼ିଥିବା ଖବର ସାମ୍ନାକୁ ଆସିଥିଲା। ଏହି ବିବାଦ ମଧ୍ୟରେ ବଲିଉଡର ‘ଭାଇଜାନ’ ସଲମାନ ଖାନ ମଧ୍ୟସ୍ଥତା ପାଇଁ ଆଗକୁ ଆସିଥିବା ସୂଚନା ମିଳିଛି।ରିପୋର୍ଟ ଅନୁଯାୟୀ, ସଲମାନ ଖାନ ରଣବୀର ସିଂହ ଏବଂ ଫରହାନ ଅଖତରଙ୍କ ସହ ଅଲଗା ଅଲଗା ଭାବେ ଆଲୋଚନା କରିଥିଲେ। ସେ ଉଭୟଙ୍କୁ ଫିଲ୍ମର ଭବିଷ୍ୟତକୁ କ୍ଷତି ନ ପହଞ୍ଚାଇ, ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି। ସଲମାନ ଫରହାନଙ୍କୁ ବୁଝାଇଥିଲେ ଯେ ବଲିଉଡରେ ମତଭେଦ ଏକ ସାଧାରଣ କଥା। ସେହିପରି ରଣବୀରଙ୍କ ସହ ମଧ୍ୟ ଦୀର୍ଘ ସମୟ ଧରି ଆଲୋଚନା କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରଣବୀର ସିଂହ ଫିଲ୍ମର ସୁଟିଂ ଆରମ୍ଭ ହେବାର କେବଳ କିଛି ସପ୍ତାହ ପୂର୍ବରୁ ‘ଡନ୍ 3’ରୁ ପଛଘୁଞ୍ଚା ଦେଇଥିଲେ । ଏହାପରେ ଫରହାନ ଅଖତର ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲୋଇଜ୍ (FWICE) ନିକଟରେ ଅଭିଯୋଗ କରିଥିଲେ। ଫରହାନଙ୍କ ଅଭିଯୋଗ ଅନୁସାରେ, ରଣବୀରଙ୍କ ଏହି ନିଷ୍ପତ୍ତି ଫିଲ୍ମର ସୁଟିଂ ପ୍ରସ୍ତୁତିକୁ ପ୍ରଭାବିତ କରିଥିଲା। ଏହି ମାମଲାରେ FWICE ପକ୍ଷରୁ ରଣବୀର ସିଂହଙ୍କୁ ତିନୋଟି ନୋଟିସ୍ ଜାରି କରାଯାଇଥିଲା। କିନ୍ତୁ ସେଥିରେ ରଣବୀର କୌଣସି ଉତ୍ତର ଦେଇନଥିଲେ। ପରେ ଏକ ପ୍ରେସ୍ କନଫରେନ୍ସ ଡାକାଯାଇ ରଣବୀରଙ୍କ ଉପରେ ପ୍ରତିବନ୍ଧକ ଲାଗିଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ସଲମାନ ଖାନଙ୍କ ମଧ୍ୟସ୍ଥତା ପରେ ‘ଡନ୍ 3’ ବିବାଦର ସମାଧାନ ହେବ କି ନାହିଁ, ସେଥିପାଇଁ ଚଳଚ୍ଚିତ୍ର ପ୍ରେମୀମାନେ ଅପେକ୍ଷା କରିଛନ୍ତି।

Leave a comment