ଆଇଜିଆଇଟି ସରାଙ୍ଗକୁ ଏକ ସ୍ଵତନ୍ତ୍ର ଏକକ ବିଶ୍ଵବିଦ୍ୟାଳୟ ଭାବେ ଅପଗ୍ରେଡ୍ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି । ମୁଖ୍ୟମନ୍ତ୍ରୀ ମୋହମ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳ ଜିଲ୍ଲାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି’ (ଆଇଜିଆଇଟି), ସରାଙ୍ଗକୁ ଏକ ସ୍ଵତନ୍ତ୍ର ଏକକ ବିଶ୍ଵବିଦ୍ୟାଳୟ ଭାବେ ଅପଗ୍ରେଡ୍ କରିବା ପାଇଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ସରକାରଙ୍କ ବଜେଟ୍ ୨୦୨୬-୨୭ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ) ଏବଂ ଭୁବନେଶ୍ୱରର ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର)କୁ ବିଶ୍ୱସ୍ତରୀୟ ବୈଷୟିକ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ପ୍ରଶଂସନୀୟ । ଏହି କ୍ରମରେ ଆଇଜିଆଇଟି, ସରାଙ୍ଗକୁ ମଧ୍ୟ ସମାନ ଭାବେ ଉନ୍ନତ କରାଯିବା ଆବଶ୍ୟକ ବୋଲି ସେ ପ୍ରସ୍ତାବ ଦେଇଛନ୍ତି ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ୧୯୮୨ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନର ପ୍ରାୟ ୪୫ ବର୍ଷର ଏକ ସମୃଦ୍ଧ ସେବା ଓ ଗୌରବର ଇତିହାସ ରହିଛି । ଏହା ବର୍ତ୍ତମାନ ୟୁଜିସି ଦ୍ୱାରା ସ୍ଵୟଂଶାସିତ ମାନ୍ୟତା ପ୍ରାପ୍ତ, ଏଆଇସିଟିଇ ଦ୍ୱାରା ଅନୁମୋଦିତ ଏବଂ ଏନବିଏ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମଧ୍ୟ । ଏହା ସହିତ ଏହି ଅନୁଷ୍ଠାନ ବୈଷୟିକ ଶିକ୍ଷା ଗୁଣବତ୍ତା ସୁଧାର କାର୍ଯ୍ୟକ୍ରମ (ଟିଇକ୍ୟୁଆଇପି) ଦ୍ୱାରା ମଧ୍ୟ ସହାୟତା ପ୍ରାପ୍ତ, ଯାହା ଏହାର ଶିକ୍ଷାଗତ ବିଶ୍ୱସନୀୟତା ଓ ସାଂଗଠନିକ ଦକ୍ଷତାକୁ ଦର୍ଶାଉଛି । ଏହି ପ୍ରତିଷ୍ଠିତ ଅନୁଷ୍ଠାନରେ ପିଏଚ.ଡି, ଏମ.ଟେକ, ଏମସିଏ, ବି.ଟେକ, ବ୍ୟାଚଲର ଅଫ୍ ଆର୍କିଟେକଚର , ଏମ.ଏସସି ଏବଂ ଡିପ୍ଲୋମା ଭଳି ବିଭିନ୍ନ ଉଚ୍ଚକୋଟୀର ପାଠ୍ୟକ୍ରମର ସୁବିଧା ରହିଛି । ଏସବୁ ଯୋଗ୍ୟତାସମ୍ପନ୍ନ ଓ ଅଭିଜ୍ଞ ଅଧ୍ୟାପକ ତଥା ଦୃଢ଼ ଏକାଡେମିକ ଭିତ୍ତିଭୂମି ଦ୍ୱାରା ପରିଚାଳିତ ହେଉଛି । ଛାତ୍ରଛାତ୍ରୀଙ୍କ ଉନ୍ନତ ଭବିଷ୍ୟତ ପାଇଁ ଏହି ଅନୁଷ୍ଠାନ ଆଇଆଇଟି, ବମ୍ବେ ସହ ଏହାର ‘ଭର୍ଚ୍ଚୁଆଲ ଲ୍ୟାବ୍’ କାର୍ଯ୍ୟକ୍ରମ ପାଇଁ ଏବଂ ଭାରତୀୟ ପାଣିପାଗ ବିଭାଗ (ଆଇଏଡି) ସହ ଇଣ୍ଟର୍ନସିପ୍ ସୁଯୋଗ କ୍ଷେତ୍ରରେ ସଫଳତାର ସହ ଭାଗିଦାରୀ ରଖିଛି ।
ଆଇଜିଆଇଟି ସରାଙ୍ଗ, ଢେଙ୍କାନାଳ ଏବଂ ଅନୁଗୋଳର ବୃହତ ଶିଳ୍ପାଞ୍ଚଳ ମଧ୍ୟରେ ଅବସ୍ଥିତ ଥିବାରୁ ଏହା ଶିଳ୍ପ ଆଧାରିତ ଜ୍ଞାନ, ଗବେଷଣା, ଇନୋଭେସନ ମାଧ୍ୟମରେ ସ୍ଥାନୀୟ ଶିଳ୍ପ ପରିସଂସ୍ଥାନକୁ ଅଧିକ ବ୍ୟାପକ କରାଇବାର ମଧ୍ୟ ସମ୍ଭାବନା ରଖୁଛି । ଏହାକୁ ଏକକ ବିଶ୍ଵବିଦ୍ୟାଳୟ ରୂପେ ଗଢ଼ିତୋଳିଲେ ଅନୁଷ୍ଠାନର ଏକାଡେମିକ ସ୍ୱାୟତ୍ତତା ବୃଦ୍ଧି ପାଇବ, ଉନ୍ନତ ଗବେଷଣା ଓ ଇନୋଭସନକୁ ପ୍ରୋତ୍ସାହନ ମିଳିବ । ବହୁମୁଖୀ ଶିକ୍ଷାକୁ ପ୍ରୋତ୍ସାହନ ମିଳିବା ସହ ଦକ୍ଷ ପ୍ରଫେସରମାନଙ୍କୁ ଏଠାକୁ ଆସିବା ପାଇଁ ଆକୃଷ୍ଟ କରିବ, ଅନୁଷ୍ଠାନକୁ ଅଧିକ ପାଣ୍ଠି ମିଳିବା ସହ ଭାଗିଦାରୀ ମଧ୍ୟ ବଢିବାର ସମ୍ଭାବନା ରହିଛି ।
ଆଇଜିଆଇଟି, ସରାଙ୍ଗକୁ ଏକକ ବିଶ୍ଵବିଦ୍ୟାଳୟ ଭାବେ ଉନ୍ନତ କଲେ, ଏହା କେବଳ ଓଡ଼ିଶାର ବୈଷୟିକ ଶିକ୍ଷା ଦୃଶ୍ୟପଟ୍ଟକୁ ମଜଭୂତ୍ କରିବ ନାହିଁ, ବରଂ ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ଗବେଷଣା ଏବଂ ଉଦ୍ଭାବନରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ । ‘ବିକଶିତ ଓଡ଼ିଶା ୨୦୩୬’ର ସଂକଳ୍ପ ଅନୁଯାୟୀ ଏହି ଅନୁଷ୍ଠାନକୁ ଅନ୍ତର୍ଜାତୀୟ ବୈଷୟିକ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।