ଘୁଞ୍ଚିବ ନାହିଁ OPSC ପରୀକ୍ଷା,ନିର୍ଦ୍ଧାରିତ ସମୟରେ ହିଁ ପରୀକ୍ଷା ହେବ- ମନ୍ତ୍ରୀ ସୁରେଶ ପୂଜାରୀ

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଓ ଗଜପତିର ସ୍ଥିତି ବେହାଲ । ବନ୍ୟା ସ୍ଥିତିରେ ରାଜ୍ୟର ଜନଜୀବନ ଅସ୍ତବ୍ୟସ୍ତ । ଅନେକ ଅଞ୍ଚଳ ଏବେବି ଜଳମଗ୍ନ ରହିଛି । ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏଭଳି ସ୍ଥିତିରେ OPSC ପରୀକ୍ଷାକୁ ନେଇ ଚିନ୍ତାରେ ଥିଲେ ବନ୍ୟା ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀ। ତେବେ ପରୀକ୍ଷା ଘୁଞ୍ଚାଇବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ନିର୍ଦ୍ଧାରିତ ସମୟରେ ହିଁ ପରୀକ୍ଷା ହେବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଥରେ ପରୀକ୍ଷା ଘୁଞ୍ଚାଗଲେ ପୁନର୍ବାର ପରୀକ୍ଷା କରିବାକୁ ପ୍ରାୟ ୬ ମାସ ସମୟ ଲାଗିବ । ତେଣୁ ପରୀକ୍ଷା ଘୁଞ୍ଚାଇବା ପରିବର୍ତ୍ତେ ପରୀକ୍ଷାର୍ଥୀଙ୍କୁ କିଭଳି ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଯାଇପାରିବ ସେନେଇ ପଦକ୍ଷେପ ନିଆଯାଉଛି । ଗଞ୍ଜାମ ଜିଲ୍ଲାରୁ ପ୍ରାୟ ୩୨୫ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ସେହିପରି ଅନ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀ ରହିଛନ୍ତି । ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ଦାୟିତ୍ୱ ସରକାରଙ୍କର । ଏଥିପାଇଁ ସମ୍ପୃକ୍ତ ଅଞ୍ଚଳର BDO ମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରୁ ପରୀକ୍ଷାର୍ଥୀମାନଙ୍କୁ ସୁରକ୍ଷିତରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାକୁ ବିଡିଓ ମାନେ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ଆୟୋଜିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ (OCS) ମେନ୍ ଲିଖିତ ପରୀକ୍ଷା ୩୧ ଅକ୍ଟୋବରରୁ ଆରମ୍ଭ ହେବ । ପୂର୍ବରୁ ଏହି ପରୀକ୍ଷା ଅକ୍ଟୋବର ୨୯ରୁ ଆରମ୍ଭ ହେବାର ଥିଲା । ମାତ୍ର ବାତ୍ୟା ଅର୍ଣ୍ଣବ ଯୋଗୁଁ OPSC ପକ୍ଷରୁ ପରୀକ୍ଷା ସୂଚୀରେ ସଂଶୋଧନ କରାଯାଇ ନୂତନ ରିଭାଇଜ୍ଡ ତାରିଖ ଘୋଷଣା କରାଯାଇଥିଲା ।

Leave a comment