ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ,

ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ବନ୍ୟା ଜଳ ଧୀରେ ଧୀରେ କମୁଛି। ଏବେ ବି କିଛି ଗାଁ ଜଳବନ୍ଦୀ ହୋଇ ରହିଛି। ଶୁକ୍ରବାର ୨୧ଟି ଗାଁ ବନ୍ୟା ଜଳ ଘେରରେ ଥିବା ବେଳେ ଆଜି ୩ଟି ଗାଁରେ ବନ୍ୟା ଜଳ ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାରେ ମୋଟ ୭୩ଟି ଗାଁ ବନ୍ୟା ପ୍ରଭାବିତ ହୋଇଥିଲା। ଏପର୍ଯ୍ୟନ୍ତ ୫୬ ହଜାର ୫୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ଜିଲ୍ଲାର ୩୬୭ଟି ସ୍ଥାନରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି। ଆଗାମୀ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ଯେପରି ଖାଦ୍ୟ ସାମଗ୍ରୀର ଅଭାବ ନ ହୁଏ, ସେଥିପାଇଁ ସମସ୍ତ ସ୍ଥାନରେ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଯୋଜନା କରାଯାଇଛି।

ଆସିକା ଓ ଶେରଗଡ଼ ବ୍ଲକ କାର୍ଯ୍ୟାଳୟ ମଧ୍ୟ ବନ୍ୟା ଜଳ ଘେରରେ ରହିଥିଲା। ବର୍ତ୍ତମାନ ସମସ୍ତ ନଦୀରେ ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ କେତେକ ସ୍ଥାନରେ ଏବେ ବି ବିପଦସଙ୍କେତ ଉପରେ ଜଳ ପ୍ରବାହିତ ହେଉଛି। ଆଗକୁ ପୁଣି ବାତ୍ୟା ଓ ବର୍ଷା ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି।

ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ମରାମତି କାମ ଆରମ୍ଭ ହୋଇଛି। ପ୍ରଥମେ ମୁଖ୍ୟ ରାସ୍ତାଗୁଡ଼ିକର ମରାମତିକୁ ଗୁରୁତ୍ୱ ଦିଆଯାଉଛି। ହିଞ୍ଜିଳିରୁ ଭଞ୍ଜନଗରକୁ ସଂଯୋଗ କରୁଥିବା ରାସ୍ତାର ମରାମତି କାମ ମଧ୍ୟ ଚାଲିଛି। ଏହାପରେ ଅନ୍ୟ ରାସ୍ତାଗୁଡ଼ିକର ମରାମତି କରାଯିବ।

ବିଦ୍ୟୁତ୍ ସେବା ସ୍ୱାଭାବିକ କରିବାକୁ ଟାଟା ପାୱାର ପକ୍ଷରୁ ପଦକ୍ଷେପ ନିଆଯାଇଛି। ସମସ୍ତ ବ୍ଲକରେ ୨୪ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପନ କରାଯାଇଥିବା ବେଳେ ଆଉ କିଛି ସ୍ଥାନରେ ବିଦ୍ୟୁତ୍ ସେବା ବାକି ରହିଛି। ସମସ୍ତ ସ୍ଥାନରେ ବିଦ୍ୟୁତ୍ ସେବା ସ୍ୱାଭାବିକ କରିବାକୁ ଚେଷ୍ଟା କରାଯିବ।

Leave a comment