ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ତାରିଖ ୨୨ ଏପ୍ରିଲ, ୨୦୨୫। ପୃଥିବୀର ସ୍ୱର୍ଗ କୁହାଯାଉଥିବା କାଶ୍ମୀରର ପହଲଗାମସ୍ଥିତ ବୈସାରନ ଉପତ୍ୟକା ହଠାତ୍ ବାରୁଦ ଗନ୍ଧରେ ଭରିଯାଇଥିଲା। ଆତଙ୍କବାଦୀଙ୍କ ବର୍ବର ଗୁଳିମାଡ଼ରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ସେହି ହୃଦୟବିଦାରକ ଘଟଣାର ଆଜି ପ୍ରଥମ ବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି ଆତଙ୍କବାଦ ବିରୋଧରେ ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ‘ଏକ୍ସ’ରେ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁକୁ ଭାରତ କେବେ ଭୁଲିବ ନାହିଁ। ଆତଙ୍କବାଦୀଙ୍କ ଘୃଣ୍ୟ ଯୋଜନା କେବେ ସଫଳ ହେବ ନାହିଁ। ଭାରତ କୌଣସି ପ୍ରକାରେ ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ସଂକଳ୍ପର ସମୟରେ ସମଗ୍ର ରାଷ୍ଟ୍ର ଏକଜୁଟ ହୋଇ ଛିଡ଼ା ହୋଇଛି ବୋଲି ସେ କହିଛନ୍ତି।

ବର୍ଷକ ପୂର୍ବେ ଆଜିର ଦିନରେ ବୈସାରନର ସୁନ୍ଦର ଉପତ୍ୟକା ହଠାତ୍ କରୁଣ ଚିତ୍କାରରେ ଫାଟି ପଡ଼ିଥିଲା। ପର୍ଯ୍ୟଟକଙ୍କ ରକ୍ତରେ ଭିଜିଯାଇଥିଲା ସେହି ସ୍ଥାନ। ଏହି ଘଟଣା ସାରା ଦେଶରେ ଆକ୍ରୋଶ ସୃଷ୍ଟି କରିଥିଲା। ଆତଙ୍କବାଦୀଙ୍କ ଏହି କାପୁରୁଷୋଚିତ ଆକ୍ରମଣର ଜବାବ ଦେବାକୁ ଭାରତ ଆରମ୍ଭ କରିଥିଲା ‘ଅପରେସନ ସିନ୍ଦୂର’। ମେ ୬-୭ ତାରିଖରେ ଭାରତୀୟ ସେନା ପାକିସ୍ତାନ ଓ ପିଓକେ (PoK) ଭିତରେ ପଶି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରି ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଥିଲା। ଆକ୍ରମଣର ବର୍ଷପୂର୍ତ୍ତି ଅବସରରେ ଜମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ପହଲଗାମ ଓ ଆଖପାଖ ଜଙ୍ଗଲ ଅଞ୍ଚଳରେ ସେନା ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଚାଲିଛି। ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ କରାଯାଇଛି ଯେପରି କୌଣସି ପ୍ରକାର ଅନୁପ୍ରବେଶ ବା ଷଡ଼ଯନ୍ତ୍ର ସଫଳ ନହୁଏ। ପର୍ଯ୍ୟଟନ ସ୍ଥଳଗୁଡ଼ିକ ଉପରେ ସିସିଟିଭି ଓ ଡ୍ରୋନ୍ ଜରିଆରେ ନଜର ରଖାଯାଇଛି।

Leave a comment