ଭାରତୀୟ ବାୟୁସେନାରୁ ବିଦାୟ ନେଲେ କ୍ୟାପଟେନ୍ ଅଭିନନ୍ଦନ ବର୍ଦ୍ଧମାନ
୨୦୧୯ର ଭାରତ-ପାକିସ୍ତାନ ଆକାଶ ଲଢ଼େଇ ପରେ ସାରା ଦେଶରେ ପରିଚିତ ହୋଇଥିବା ଗ୍ରୁପ୍ କ୍ୟାପଟେନ୍ ଅଭିନନ୍ଦନ ବର୍ଦ୍ଧମାନ ଏବେ ଭାରତୀୟ ବାୟୁସେନାରୁ ବିଦାୟ ନେଇଛନ୍ତି। ପ୍ରାୟ ୨୨ ବର୍ଷର ସେବା ପରେ ସେ ୨୦୨୬ ମାର୍ଚ୍ଚ ୩୧ରେ ସମୟ ପୂର୍ବରୁ ଅବସର ନେଇଥିଲେ। ଏବେ ସେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ନିଜର ନୂଆ ଇନିଂସ ଆରମ୍ଭ କରିଛନ୍ତି।
ରିପୋର୍ଟ ଅନୁସାରେ, ଅଭିନନ୍ଦନ ଅଗଷ୍ଟରେ ଗୋଆ ଭିତ୍ତିକ ଆଞ୍ଚଳିକ ବିମାନ କମ୍ପାନୀ FLY91ରେ କମର୍ସିଆଲ୍ ପାଇଲଟ୍ ଭାବେ ଯୋଗ ଦେଇଛନ୍ତି। ବର୍ତ୍ତମାନ ସେ ATR 72-600 ବିମାନ ଉଡ଼ାଇବା ପାଇଁ ତାଲିମ ନେଉଛନ୍ତି। ୨୦୨୪ ମାର୍ଚ୍ଚରେ ସେବା ଆରମ୍ଭ କରିଥିବା FLY91 ପାଖରେ ଏବେ ୬ଟି ATR 72-600 ବିମାନ ରହିଛି ଏବଂ ଗୋଆ ଓ ହାଇଦ୍ରାବାଦରେ ଏହାର ବେସ୍ ରହିଛି। ତେବେ ଅଭିନନ୍ଦନଙ୍କ ନିଯୁକ୍ତି ସମ୍ପର୍କରେ କମ୍ପାନୀ କୌଣସି ମନ୍ତବ୍ୟ ଦେଇନାହିଁ ଏବଂ କର୍ମଚାରୀଙ୍କ ତଥ୍ୟକୁ ବ୍ୟକ୍ତିଗତ ବିଷୟ ବୋଲି କହିଛି।
୨୦୧୯ରେ ସାରା ଦେଶ ଦେଖିଥିଲା ଅଭିନନ୍ଦନଙ୍କ ସାହସ । ୨୦୧୯ ଫେବ୍ରୁଆରୀ ୨୭। ପୁଲୱାମା ଆତଙ୍କୀ ଆକ୍ରମଣର ଜବାବରେ ବାଲାକୋଟ୍ରେ ଭାରତୀୟ ବାୟୁସେନାର ଏୟାର୍ ଷ୍ଟ୍ରାଇକ୍ର ଠିକ୍ ପରଦିନ ଭାରତ ଓ ପାକିସ୍ତାନର ଯୁଦ୍ଧ ବିମାନ ମଧ୍ୟରେ ଆକାଶରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା।
ସେତେବେଳେ ୱିଙ୍ଗ କମାଣ୍ଡର ଥିବା ଅଭିନନ୍ଦନ MiG-21 Bison ଉଡ଼ାଇ ନୌଶେରା ନିକଟ LoC ଅଞ୍ଚଳରେ ପାକିସ୍ତାନୀ ଯୁଦ୍ଧ ବିମାନକୁ ମୁକାବିଲା କରିଥିଲେ। ଭାରତର ଦାବି ଅନୁସାରେ, ନିଜ ବିମାନ ଆକ୍ରମଣର ଶିକାର ହେବାର କିଛି ମୁହୂର୍ତ୍ତ ପୂର୍ବରୁ ସେ ଏକ ପାକିସ୍ତାନୀ F-16କୁ ମିସାଇଲ୍ ମାଡ଼ କରି ଖସାଇ ଦେଇଥିଲେ। ତେବେ ପାକିସ୍ତାନ ଆରମ୍ଭରୁ ହିଁ ଏହି ଲଢ଼େଇରେ ତା’ର କୌଣସି F-16 ନଷ୍ଟ ହୋଇଥିବା ଦାବିକୁ ଖଣ୍ଡନ କରିଆସିଛି।
ଅଭିନନ୍ଦନଙ୍କ MiG-21 ମଧ୍ୟ ଆକ୍ରମଣର ଶିକାର ହୋଇଥିଲା। ବିମାନରୁ ଇଜେକ୍ଟ କରିବା ପରେ ସେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଅବତରଣ କରିଥିଲେ ଏବଂ ପାକିସ୍ତାନୀ ସେନା ତାଙ୍କୁ କବ୍ଜାକୁ ନେଇଥିଲା। ପ୍ରାୟ ୬୦ ଘଣ୍ଟା ପରେ ୨୦୧୯ ମାର୍ଚ୍ଚ ୧ରେ ଅଟାରୀ-ୱାଘା ସୀମା ଦେଇ ସେ ଭାରତକୁ ଫେରିଥିଲେ।
ଏହି ଘଟଣା ପରେ ଅଭିନନ୍ଦନଙ୍କ ସାହସକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା। ତାଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଥିଲା। ୨୦୨୧ ଡିସେମ୍ବରରେ ସେ ଗ୍ରୁପ୍ କ୍ୟାପଟେନ୍ ପଦକୁ ପଦୋନ୍ନତି ପାଇଥିଲେ। ବାୟୁସେନାର ଯୁଦ୍ଧ ବିମାନ କକ୍ପିଟ୍ରୁ ଏବେ କମର୍ସିଆଲ୍ ବିମାନର କକ୍ପିଟ୍—ଅଭିନନ୍ଦନଙ୍କ ପେସାଦାର ଜୀବନରେ ଆରମ୍ଭ ହୋଇଛି ଏକ ନୂଆ ଅଧ୍ୟାୟ। ତେବେ ତାଙ୍କ ସମୟ ପୂର୍ବ ଅବସର ସମ୍ପର୍କରେ ଭାରତୀୟ ବାୟୁସେନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବିବୃତି ଆସିନାହିଁ।