ଚୀନ ପାକ ମୁକାବିଲା ପାଇଁ ଭାରତ ପାଖରେ ନାହିଁ ପର୍ଯ୍ୟାପ୍ତ ଲଢୁଆ ବିମାନ
ଅକ୍ଟୋବରରୁ ଭାରତର ଲଢୁଆ ବିମାନ ସଂଖ୍ୟା ୨୯ ସ୍କ୍ୱାଡ୍ରନ୍କୁ ଖସି ଆସିବ, ଯାହା କି ପାକିସ୍ତାନର ୨୫ ସ୍କ୍ୱାଡ୍ରନ୍ର ପାଖାପାଖି ହେବ। ବିଶେଷ କରି ଚୀନ୍ର ଏୟାର୍ ଫ୍ଲିଟ୍ରେ ଯଥେଷ୍ଟ ଅଧିକ ୬୬ ସ୍କ୍ୱାଡ୍ରନ୍ ଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ସାଧାରଣତଃ ଏକ ସ୍କ୍ୱାଡ୍ରନ୍ରେ ୧୮ରୁ ୨୦ଟି ଜେଟ୍ ରହିଥାଏ। ଭାରତ ପାଖରେ ପାଖାପାଖି ୫୨୨ଟି ଯୁଦ୍ଧବିମାନ ଥିବା ବେଳେ ପାକିସ୍ତାନ ପାଖରେ ୪୫୦ଟି ଓ ଚୀନ୍ ପାଖରେ ପ୍ରାୟ ୧୨୦୦ଟି ବିମାନ ଅଛି। ବାୟୁସେନା ମୁଖ୍ୟ ଏପି ସିଂହ କହିଛନ୍ତି ଯେ, ଭାରତକୁ ପ୍ରତିବର୍ଷ ଅତି କମ୍ରେ ୪୦ଟି ଲଢୁଆ ବିମାନ ସାମିଲ କରିବାର ଆବଶ୍ୟକତା ରହିଛି, ଯାହା ବର୍ତ୍ତମାନ ପ୍ରାୟ ଅସମ୍ଭବ ମନେ ହେଉଛି।
କିଛି ବିଶେଷଜ୍ଞ କହିଛନ୍ତି, ପୁରୁଣା ଲଢୁଆ ବିମାନ, ମିରାଜ, ଜାଗୁଆର ଓ ଅନ୍ୟ ମିଗ୍ ଭାରିଏଣ୍ଟ ସହିତ ଏକାଧିକ ସ୍କ୍ୱାଡ୍ରନ୍କୁ ପର୍ଯ୍ୟାୟକ୍ରମେ ହଟାଇ ଦିଆଯିବ। ଯଦି ଭାରତ ନିଜ ବାୟୁସେନାରେ ଅଧିକ ଯୁଦ୍ଧବିମାନ ନ ଯୋଡ଼େ, ତେବେ ୧୦ ବର୍ଷରୁ କମ୍ ସମୟ ମଧ୍ୟରେ ପାକିସ୍ତାନ ସହିତ ପ୍ରାୟ ସମାନ ସଂଖ୍ୟକ ଲଢୁଆ ସ୍କ୍ୱାଡ୍ରନ୍ ରହିବ। ଭାରତୀୟ ବାୟୁସେନା ତା’ର ଶେଷ ଦୁଇଟି ମିଗ୍-୨୧ ସ୍କ୍ୱାଡ୍ରନ୍କୁ ଅବସର ଦେବା ଏହି ଚିନ୍ତାର କାରଣ ପାଲଟିଛି। ୨୦୧୫ରେ ୧୨୬ ବିମାନ ବିଶିଷ୍ଟ ମଧ୍ୟମ ମଲ୍ଟି ରୋଲ କମ୍ବାଟ୍ ଏୟାର୍କ୍ରାଫ୍ଟ (ଏମ୍ଏମ୍ଆର୍ସିଏ) ଚୁକ୍ତି ରଦ୍ଦ ହେବା ଭାରତୀୟ ବାୟୁସେନାର ଯୁଦ୍ଧଶକ୍ତି ଉପରେ ବଡ଼ ପ୍ରଭାବ ପକାଇଥିଲା। ପରବର୍ତ୍ତୀ ସମୟରେ ଫ୍ରାନ୍ସ ସହ ଭାରତ ବୁଝାମଣା କରି ୩୬ଟି ରାଫେଲ ବିମାନ କିଣିଥିବା ବେଳେ ଆବଶ୍ୟକତା ପୂରଣ କରିବାରେ ଏହା ଯଥେଷ୍ଟ ନ ଥିଲା। ୨୬ଟି ରାଫେଲ ପାଇଁ ନୂଆ ଅର୍ଡର ଦିଆଯାଇଛି- କିନ୍ତୁ ତାହା ଭାରତୀୟ ନୌସେନା ପାଇଁ। ୧୧୪ଟି ମଲ୍ଟି ରୋଲ୍ ଫାଇଟର୍ ଏୟାର୍କ୍ରାଫ୍ଟ କିଣିବାର ଯୋଜନା ରହିଥିଲେ ମଧ୍ୟ ଏ ଦିଗରେ ବିଶେଷ ଅଗ୍ରଗତି ହୋଇପାରିନାହିଁ।
ପାକିସ୍ତାନ ଉପରେ ବାୟୁ ଶ୍ରେଷ୍ଠତା ସୁନିଶ୍ଚିତ କରିବା ପାଇଁ ଭାରତ ସ୍ୱଦେଶୀ ତେଜସ୍ ହାଲୁକା ଲଢୁଆ ବିମାନ ଉପରେ ନିର୍ଭର କରିଥିଲା। ତେବେ ଭାରତୀୟ ବାୟୁସେନା ବର୍ତ୍ତମାନ ମାତ୍ର ଦୁଇଟି ସ୍କ୍ୱାଡ୍ରନ୍ ଚଳାଚଳ କରୁଛି- ୩୮ଟି ତେଜସ୍ ମାର୍କ-୧ ଜେଟ୍। ହାଲ୍ ଦ୍ୱାରା ୮୩ଟି ଉନ୍ନତ ତେଜସ୍ ମାର୍କ-୧ଏ ଯୋଗାଣ କରିବାକୁ ଥିବା ବେଳେ ଗୋଟିଏ ବି ଜେଟ୍ ଏପର୍ଯ୍ୟନ୍ତ ସେବାରେ ପ୍ରବେଶ କରିନାହିଁ। ‘ମେଡ୍ ଇନ୍ ଇଣ୍ଡିଆ’ ପ୍ରତିରକ୍ଷା କାର୍ଯ୍ୟକ୍ରମ ଆଗରେ ଏକ ବଡ଼ ଚ୍ୟାଲେଞ୍ଜ ହେଉଛି ସ୍ୱଦେଶୀ ଲଢୁଆ ବିମାନ ପାଇଁ ଇଞ୍ଜିନ୍ର ଅଭାବ। ପୂର୍ବ କାବେରୀ ଇଞ୍ଜିନ୍ ପ୍ରକଳ୍ପ ଆବଶ୍ୟକ ମାନକ ପୂରଣ କରିପାରିଲା ନାହିଁ। ତେଣୁ ଏଗୁଡ଼ିକ ବିଦେଶରୁ ଆମଦାନି କରିବାକୁ ପଡ଼ୁଥିବା ବେଳେ ଆବଶ୍ୟକ ସଂଖ୍ୟକ ଇଂଜିନ୍ ବରାଦ ମୁତାବକ ମିଳୁନାହିଁ।