ସ୍ୱଦେଶୀ ଅସଲ୍ଟ ରାଇଫଲ ଏକେ-୨୦୩ ‘ସେର’ର ପ୍ରଥମ ପରୀକ୍ଷଣ ସଫଳ
ଉତ୍ତରପ୍ରଦେଶ ଆମେଥି ସ୍ଥିତ କୋରଭା ଫ୍ୟାସେଲିଟି ସେଣ୍ଟରରେ ନିର୍ମିତ ସମ୍ପୂର୍ଣ୍ଣ ସ୍ୱଦେଶୀ ଅସଲ୍ଟ ରାଇଫଲ ଏକେ-୨୦୩ ‘ସେର’ର ପ୍ରଥମ ସଫଳ ପରୀକ୍ଷଣ ହୋଇଛି। ଏହି ରାଇଫଲକୁ ଇଣ୍ଡୋ-ରସିୟାନ ରାଇଫଲସ୍ ପ୍ରାଇଭେଟ ଲିମିଟେଡ (ଆଇଆରଆରପିଏଲ)ପ୍ରସ୍ତୁତ କରିଛନ୍ତି। ଏହି କମ୍ପାନୀ ୨୦୧୯ ମସିହାରେ ଭାରତ ଏବଂ ଋଷିଆ ମିଳିତ ଉଦ୍ୟମ ରୂପେ ସ୍ଥାପିତ ହୋଇଥିଲା, ଏହାର ଉଦ୍ଦେଶ୍ୟ ଥିଲା ଭାରତରେ ଏକେ-୨୦୩ ରାଇଫଲ ନିର୍ମାଣ କରିବା।
ଆଇଆରଆରପିଏଲ ସିଇଓ ତଥା ମ୍ୟାନେଜିଂ ଡାଇରେକ୍ଟର ମେଜର ଜେନେରାଲ ଏସ.କେ.ଶର୍ମାଙ୍କ ଅନୁସାରେ ପ୍ରଥମ ୧୦୦ ପ୍ରତିଶତ ସ୍ୱଦେଶୀ ପ୍ରୋଟୋଟାଇପରୁ ସଫଳତା ପୂର୍ବକ ଫାୟାର କରାଯାଇଛି। ଏଥିରେ ବ୍ରଷ୍ଟ ମୋଡ ମଧ୍ୟ ସାମିଲ ଥିଲା। ଏହାର ପ୍ରାରମ୍ଭିକ ଫଳାଫଳ ବେଶ ଉତ୍ସାହଜନକ ବୋଲି କୁହାଯାଉଛି। ଏହି ଉପଲବ୍ଧିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ପ୍ରୋଟୋଟାଇପରେ ଉପଯୋଗ ହୋଇଥିବା ସମସ୍ତ ସାମଗ୍ରୀ ଓ କଞ୍ଚାମାଲ ଭାରତୀୟ ଉଦ୍ୟୋଗରୁ ନିଆଯାଇଛି।
ଏହା କେବଳ କିଛି ଅଂଶର ସ୍ଥାନୀୟକରଣ ନୁହେଁ ବରଂ ସମ୍ପୂର୍ଣ୍ଣ ସ୍ୱଦେଶୀ କନଫିଗରେସନ। ପୂର୍ବରୁ ଏହି କାର୍ଯ୍ୟକ୍ରମ ଲାଇସେନ୍ସ ଉତ୍ପାଦନ ରୂପେ ଚାଲୁଥିଲା। ହେଲେ ଏବେ ଏହା ସମ୍ପୂର୍ଣ୍ଣ ଘରୋଇ ନିର୍ମାଣ ଦିଗରେ ଆଗକୁ ବଢୁଛି। ଏଣୁ ଭାରତୀୟ ଉଦ୍ୟୋଗ ଆଧାରର ସମ୍ପ୍ରସାରଣ ହୋଇଛି ଓ ଆମଦାନୀ ଉପକରଣ ଉପରେ ନିର୍ଭରଶୀଳତା ହ୍ରାସ ହୋଇଛି। ଆଇଆରଆରପିଏଲ ଏବେ ଆହୁରି ୧୦୦ ପ୍ରତିଶତ ସ୍ୱଦେଶୀ ପ୍ରୋଟୋଟାଇପ ନିର୍ମାଣ ଉପରେ କାମ କରୁଛି। ଏଗୁଡିକୁ ସେପ୍ଟେମ୍ବର ୨୦୨୬ରେ ଭାରତୀୟ ସେନାକୁ ଟ୍ରାୟେଲ ନିମନ୍ତେ ଦେବାକୁ ଯୋଜନା ରହିଛି।
କମ୍ପାନୀ ଏବେ ସଶସ୍ତ୍ର ବଳଙ୍କୁ ୬,୦୧,୪୨୭ଟି ରାଇଫଲ ଯୋଗାଣ ଲାଗି ଅନୁବନ୍ଧ ଉପରେ କାମ କରୁଛି। ପାଖାପାଖି ୫,୨୦୦ କୋଟି ଟଙ୍କା କଣ୍ଟ୍ରାକ୍ଟର ମୂଳ ସମୟସୀମା ଅକ୍ଟୋବର ୨୦୩୨ ଥିଲା। ତେବେ କମ୍ପାନୀ ଡିସେମ୍ବର ୨୦୩୦ ସୁଦ୍ଧା କାର୍ଯ୍ୟକ୍ରମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଆଇଆରଆରପିଏଲ ଉତ୍ପାଦନ ହାରକୁ ପ୍ରତି ୧୦୦ ସେକେଣ୍ଡ ଗୋଟିଏ ରାଇଫଲ ସ୍ତରକୁ ନେଇଯିବାକୁ ଉଦ୍ୟମ କରୁଛି, ଯାହାଦ୍ୱାରା ସେନା ଅର୍ଡରକୁ ସମୟ ପୂର୍ବରୁ ପୁରା କରାଯାଇ ପାରିବ। ‘ସେର’ର ଏହି ଉପଲବ୍ଧି କେବଳ ଏକ ରାଇଫଲ ପର୍ଯ୍ୟନ୍ତ ସୀମିତ ନାହିଁ। ଏହା ଦ୍ୱାରା ପ୍ରତିରକ୍ଷା ଉତ୍ପାଦନ ଆମଦାନୀ ନିର୍ଭରତା ହ୍ରାସ ହେଉଥିବା ବେଳେ ଆତ୍ମ ନିର୍ଭର ଭାରତକୁ ମଜଭୁତ କରୁଛି। ଏହା ଦୀର୍ଘାବଧିରେ ଭାରତୀୟ ସେନାର ଆବଶ୍ୟକତାକୁ ଦ୍ରୁତ ପୁରଣ କରିବା ସହିତ ରପ୍ତାନୀ ସମ୍ଭାବନା ମଧ୍ୟ ବଢାଉଛି। ମୋଟ ଉପରେ ଏହା ଭାରତର ପ୍ରତିରକ୍ଷା ନିର୍ମାଣ କ୍ଷମତାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଗତି।