ଆଜିଠୁ ‘ସାଗର କବଚ-୨’ ସମରାଭ୍ୟାସ,ପ୍ରଦର୍ଶନ କରିବେ ୧୮ ରୁ ଉର୍ଦ୍ଧ୍ବ ବିଭାଗ
ଆଜିଠୁ ‘ସାଗର କବଚ-୨’ ସମରାଭ୍ୟାସ । ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୨ ଆରମ୍ଭ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ଷକୁ ଦୁଇଥର ମିଳିତ ସମରାଭ୍ୟାସ ସାଗର କବଚ ଆୟୋଜନ ହେଉଛି । ଚଳିତ ବର୍ଷର ଦ୍ଵିତୀୟ ସମରାଭ୍ୟାସ ସାଗର କବଚ-୨ ଦୁଇଦିନ ଧରି ଗଭୀର ସମୁଦ୍ର ଏବଂ ସ୍ଥଳ ଭାଗରେ ଆରମ୍ଭ ହୋଇଛି । ଏହି ମିଳିତ ସମରାଭ୍ୟାସରେ ଜଳପଥରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ଅନୁପ୍ରବେଶକାରୀକୁ କିପରି ପ୍ରତିରୋଧ କରାଯାଇପାରିବ ଏହାର ସମସ୍ତ କଳାକୌଶଳ ପ୍ରଦର୍ଶନ କରିବେ ୧୮ ରୁ ଉର୍ଦ୍ଧ୍ବ ବିଭାଗ । ଗଭୀର ସମୁଦ୍ରରେ ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ, ସମୁଦ୍ର କୂଳରେ ମତ୍ସ୍ଯ ବିଭାଗ ଓ ମେରାଇନ ପୋଲିସ ସହିତ ଅନ୍ୟ ବିଭାଗ ଗୁଡିକ ପଇଁତରା ମାରୁଛନ୍ତି ।
ଏଥିସହିତ ସ୍ଥଳଭାଗରେ ମଧ୍ୟ ବିଭିନ୍ନ ବିଭାଗ ସଜାଗ ରହିଛନ୍ତି । ୧୮ ରୁ ଉର୍ଦ୍ଧ୍ବ ବିଭାଗରେ ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ, ସିଆଇଏସଏଫ, ମତ୍ସ୍ଯବିଭାଗ, ମେରାଇନ ପୋଲିସ, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ ଓ ଓଡିଶା ପୋଲିସ , ବନ ବିଭାଗ, ପାରାଦ୍ଵୀପ ବନ୍ଦର, ଗୁଇନ୍ଦା ବିଭାଗ, ଓଡ୍ରାଫ, ଏନଡିଆରଏଫ ଆଦିକୁ ଦୁଇଟି ବିଭାଗରେ ବିଭକ୍ତ କରାଯାଇଛି । ରେଡ୍ ଟିମ୍ ଆତଙ୍କବାଦୀଙ୍କ ବେଶରେ ଜଳପଥରୁ ଆସି ସ୍ଥଳପଥରେ ପ୍ରବେଶ କରି ଆକ୍ରମଣ କରିବାକୁ ଯୋଜନା କରିବେ । ଏହି ଆକ୍ରମଣକୁ ପଣ୍ଡ କରିବା ପାଇଁ ବ୍ଲୁ ଟିମ ସ୍ଥଳଭାଗରେ ପ୍ରତିରୋଧ କରିବା ସହିତ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବେ।