ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି। ରାଧାଦାମୋଦର ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ। ଆଶ୍ବିନ ମାସ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଏହି ନୀତି ମହାପ୍ରଭୁଙ୍କର ଚାଲିବାକୁ ଥିବାବେଳେ ଏକ ମାସ ଧରି ମହାପ୍ରଭୁଙ୍କ ସ୍ବତନ୍ତ୍ର ବାଳଧୂପ ସହ ରାଧାଦାମୋଦର ବେଶ କରାଯିବ। ତେବେ ଗତକାଲି ଦଶହରାରେ ମହାପ୍ରଭୁଙ୍କ ଅନେକ ଗୁଡ଼ିଏ ନୀତିକାନ୍ତି ଥିବାରୁ ରାତ୍ର ପହୁଡ଼ରେ ବିଳମ୍ବ ହୋଇଥିଲା। ତେଣୁ ଆଜି ସକାଳ ୬ ଟା ୧୫ ରେ ଦ୍ବାର ଫିଟା ନୀତି ପରେ ୭ଟା ୦୫ରେ ମଙ୍ଗଳ ଆଳତୀ ନୀତି ପରେ କାର୍ତ୍ତିକ ନୀତି ସୁରୁଖୁରୁରେ ସମ୍ପାଦିତ ହୋଇଛି। ମଙ୍ଗଳାଆଳତୀ, ମଇଲମ, ତଡପଲାଗି, ଅବକାଶ ନୀତି ପରେ ରାଧାଦାମୋଦର ବେଶ, ଗୋପାଳ ବଲ୍ଲଭ, ସକାଳ ଧୂପ, ବାଳଧୂପ ନୀତି ଅନୁଷ୍ଠିତ ହୋଇଥିଲା। ତେବେ କାର୍ତ୍ତିକ ନୀତିରେ ବାଳଧୂପ ଏକ ସ୍ବତନ୍ତ୍ର ଭୋଗ ଥିବାରୁ ଏଥିରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡି, ପଇଡ ଆଦି ଭୋଗ କରାଯାଇଥାଏ।ତେବେ କାର୍ତ୍ତିକ ମାସରେ ପ୍ରଭୁ ବିଷ୍ଣୁଙ୍କ ନାମ ଦାମୋଦର ହୋଇଥିବାରୁ ଏହାକୁ ରାଧାଦାମୋଦର ବେଶରେ ନାମକରଣ କରାଯାଇଛି। ଏପଟେ ଆଜି ଏକାଦଶୀ ଅବସରରେ ମହାପ୍ରଭୁଙ୍କର ସ୍ବତନ୍ତ୍ର ବେଶ ମଧ୍ୟ ରହିଛି। ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ସହ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଠାକୁର ମାନଙ୍କୁ ଲାଗି କରାଯାଇଛି। ଏହି ବେଶରେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିକଚ୍ଛ ପରିଧାନ କରିବା ସହ ଦୁଇ ହସ୍ତରେ ସୁବର୍ଣ୍ଣ ନଳୀଭୁଜ, ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ, ଚୂଳର ଅଗ୍ରଭାଗରେ ରୂପା ଚନ୍ଦ୍ରିକା, କର୍ଣ୍ଣ ଦେଶରେ କୁଣ୍ଡଳ, କଟି ଦେଶରେ ଓଡ଼ିଆଣୀ କମରପଟି, କଣ୍ଠରେ ସୁବର୍ଣ୍ଣ ଘାଗଡ଼ା ମାଳି, କପାଳରେ ତିଳକ, ଚନ୍ଦ୍ର ସୂର୍ଯ୍ୟ ଏବଂ ରାମାନନ୍ଦୀ ଚିତା ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉ ଭୂଷିତ ହୋଇଛନ୍ତି। ମସ୍ତକରେ ଡଡ଼ଗି ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁବର୍ଣ୍ଣ ଅଳଙ୍କାର ସହ ପାଟଶାଢ଼ୀ, ଫୁଟା, ଶିରିକପଡ଼ା, ପହରଣ, ବଳା, ଅଧରବଳା ଓ ଉତ୍ତରୀୟ ବସ୍ତ୍ର ମଧ୍ୟ ଲାଗି କରାଯାଇଛି। ମହାପ୍ରଭୁଙ୍କ ଏହି ରାଧାଦାମୋଦର ବେଶ ଦର୍ଶନ କରି ଭକ୍ତ ନିଜକୁ ଧନ୍ୟ ମନେ କରିଥିବା କହିଛନ୍ତି।
ଆଜି ବଡ଼ ଏକାଦଶୀ ଅବସରରେ ପୁରୀରେ ପୂଜା ପାଉଥିବା ସମସ୍ତ ଗୋଷାଣୀଙ୍କ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ଏନେଇ ଆଜି ସନ୍ଧ୍ୟାରେ ସମସ୍ତ ଗୋଷାଣୀ ଓ ନାଗା ଶ୍ରୀମନ୍ଦିର ସମ୍ମୁଖରେ ଏକାଠି ହେବେ। ଏହା ଦେବୀ ସଭା ନାମରେ ପରିଚିତ। ତେଣୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ପୁରୀ ଜିଲ୍ଲା ପ୍ରଶାସନ ଓ ପୁରୀ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।