ଜନ୍ମବେଦିରେ ଶ୍ରୀଜିଉଙ୍କ ଲୀଳାଖେଳା । ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ ଆଉ ଶ୍ରଦ୍ଧାଳୁ । ରବିବାରଠୁ ବାହୁଡା ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ପାଇବେ ଭକ୍ତ । ଜନ୍ମବେଦିରେ ସୋମବାର ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ଏହାପୂର୍ବରୁ ରବିବାର ଶ୍ରୀବିଗ୍ରହ ମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ ।
ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ଆସିଥିବା ଜଣେ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ ହୋଇ ପଡିଥିବା ଜଣାପଡିଛି । ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ସମ୍ପୃକ୍ତ ମହିଳା ଜଣକ ଚେତାଶୂନ୍ୟ ହୋଇ ପଡିଥିଲେ । ସେଠାରେ ଉପସ୍ଥିତ ଥିବା ସ୍ବେଚ୍ଛାସେବୀ ଏବଂ ଏନଡିଆରଏଫ ଟିମ୍ ତୁରନ୍ତ ମହିଳାଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ । ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ତାଙ୍କ ପରିଚୟ ମିଳିପାରିନାହିଁ ।ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ୱେ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଭକ୍ତ ମାନେ ଦୀର୍ଘ ସମୟ ଧରି ଲମ୍ବା ଧାଡ଼ିରେ ଠିଆ ହେବା ଯୋଗୁଁ ଏଭଳି ଘଟଣା ଘଟୁଥିବା ଦେଖିବାକୁ ମିଳିଛି ।
ରଥଯାତ୍ରା ବେଳେ ଅଣନିଃଶ୍ବାସୀ ହୋଇ ଜଣେ ଓ ହୃଦଘାତରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ଜବାବ ତଲବ କରିଛନ୍ତି । ଗୃହ ବିଭାଗର ପ୍ରମୁଖ ସଚିବ ଏବଂ ପୁରୀ ଜିଲ୍ଲାପାଳଙ୍କୁ ଜବାବ ତଲବ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ଆହତଙ୍କୁ ସଠିକ୍ ଚିକିତ୍ସା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଏହାସହ ବାହୁଡ଼ା ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଗୃହ ବିଭାଗ, ଜିଲ୍ଲାପାଳ ଓ SPଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।