ଆଜି ଶ୍ରାବଣ ମାସର ପ୍ରଥମ ସୋମବାର , ଜଳ ଲାଗି ପାଇଁ ବିଭିନ୍ନ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଦୂର ଦୂରାନ୍ତରୁ ପାଣି ଆଣି କାଉଡ଼ିଆଙ୍କ ଲମ୍ୱାଧାଡ଼ି ବିଭିନ୍ନ ଶୈବ ପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିବାକୁ ବାହାରିଛନ୍ତି । ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି ଗଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାସକ ପୂର୍ବରୁ ଜଳ ଲାଗି କରିବାକୁ ଯାଉଥିବା କାଉଡ଼ିଆ ରୀତି ନୀତି ପାଳନ କରିଥା’ନ୍ତି । ଶ୍ରାବଣ ମାସ ସାରା ପ୍ରତିଟି ସୋମବାର ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଖାଲିପାଦରେ ବାହୁଙ୍ଗା ବୋହି ପାଦରେ ଚାଲି ଚାଲି ନିଷ୍ଠାର ସହ ଶୈବପୀଠକୁ ଆଣି ଭୋଳାବାବାଙ୍କୁ ଜଳ ଲାଗି କରିଥା’ନ୍ତି । ତେବେ ଏନେଇ ବିଭିନ୍ନ ନଦୀ ଘାଟ ଓ ତୀର୍ଥସ୍ଥଳୀ ଗୁଡ଼ିକରେ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଶୈବପୀଠ ଗୁଡିକରେ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସେପଟେ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ମନ୍ଦିର ପ୍ରାଙ୍ଗଣରେ ଦେଖିବାକୁ ମିଳିଛି କାଉଡ଼ିଆଙ୍କ ଭିଡ଼ । ରାତି ୧ଟା ମନ୍ଦିର ଦ୍ବାର ଫିଟାଯାଇଥିବା ବେଳେ ବାବାଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ମଙ୍ଗଳ ଆଳତି ଓ ବାଳଭୋଗ ଲାଗିହେବା ପରେ ରାତି ୨ଟାରୁ ବାବାଙ୍କ ଦର୍ଶନ କରିବା ସହ ଜଳଲାଗି କରୁଛନ୍ତି ହଜାର ହଜାର ମାନସିକଧାରୀ ।

Leave a comment