ଆସନ୍ତାକାଲି ଶ୍ରାବଣ ସୋମବାର ପାଇଁ ଶ୍ରୀଲୋକନାଥଙ୍କ ପୀଠରେ ପ୍ରସ୍ତୁତି ଆରମ୍ଭ
ଆସନ୍ତାକାଲି ଶ୍ରାବଣ ସୋମବାର ପାଇଁ ଶ୍ରୀଲୋକନାଥଙ୍କ ପୀଠରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପାଣି ଭାର ନେଇ ପୁରୀର ପ୍ରାଚୀନ ଶୈବପୀଠକୁ ଛୁଟି ଆସୁଛନ୍ତି ବୋଲବମ୍ ଭକ୍ତ । ଚଳିତ ବର୍ଷ ୪ ପାଳି ପାଣି ଲାଗି କରିବାର ସୁଯୋଗ ପାଇବେ ଭକ୍ତ । ଏନେଇ ଶ୍ରୀଲୋକନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗତବର୍ଷ ମୋଟ ୮୮ ହଜାର ବୋଲବମ ଭକ୍ତ ପାଣି ଲାଗି କରିଥିଲେ । ଏଥର ୪ପାଳିରେ ସଂଖ୍ୟା ଆହୁରି ବଢ଼ିବା ନେଇ ଆକଳନ କରାଯାଇଛି । ତେଣୁ ଚଳିତ ବର୍ଷ ମୋଟ ୧ ଲକ୍ଷ ଟିକେଟର ବନ୍ଦୋବସ୍ତ ହୋଇଛି । ଏନେଇ ଭକ୍ତଙ୍କ ପ୍ରବେଶ ପାଇଁ ବ୍ୟାରିକେଡ, ଭକ୍ତ ପାଣି ଭାର ରଖିବାକୁ ବାଉଁଶ ଭାରା, ବିଶ୍ରାମ ନେବା ପାଇଁ ସେଡ, ଆଶୁ ଚିକିତ୍ସା କେନ୍ଦ୍ର, ଆମ୍ବୁଲାନ୍ସ, ଆଲୋକ ବ୍ୟବସ୍ଥା କରାଯାଇଛି ।ସେପଟେ ପାଣି ଉଠାଇବା ପାଇଁ କଟକ ଗଡ଼ଗଡ଼ିଆ ଘାଟରେ ବି ଜମୁଛି କାଉଡିଆଙ୍କ ଭିଡ଼ । ପ୍ରବଳ ମାତ୍ରାରେ ଭକ୍ତ ମହାନଦୀରୁ ପାଣି ଉଠାଉଛନ୍ତି ସୋମବାର ମହାଦେବଙ୍କ ପାଖରେ ଜଳ ଲାଗି ପାଇଁ । ତେବେ ଏହି ସବୁ ଭକ୍ତ ଆଜି ପାଣି ଉଠାଇ ଲିଙ୍ଗରାଜ, ଧବଳେଶ୍ୱର ଆଦି ଶୈବପୀଠକୁ ଯାଉଛନ୍ତି ।