ଖୋଲିବ ପୁଣି କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର,ମଧ୍ୟାହ୍ନ ଧୂପ ପରେ ଭିତର ଭଣ୍ଡାରକୁ ଯିବ ଗଣତିମଣତି ଟିମ୍
ଖୋଲିବ ପୁଣି କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର। ମଙ୍ଗଳବାର ମଧ୍ୟାହ୍ନ ଧୂପ ପରେ ଭିତର ଭଣ୍ଡାରକୁ ଯିବ ଗଣତିମଣତି ଟିମ୍ । ବାହାର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ମହାସ୍ନାନ ଭଳି ଅନାବଶ୍ୟକ ପ୍ରତିକୂଳ ପରିସ୍ଥିତି ଏଡ଼ାଇବା ପାଇଁ ଦିନ ତମାମ ଭିତର କାଠ ଦର୍ଶନ ବନ୍ଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । କେବଳ ରତ୍ନ ଗଣତି ଦିନ ମାନଙ୍କରେ ବନ୍ଦ ରହିବ ଭିତର କାଠ ଦର୍ଶନ।
ଚଳିତ ମାସରେ ଆହୁରି ୭ ଦିନ ଅର୍ଥାତ ୧୯, ୨୧, ୨୩, ୨୬, ୨୮, ୨୯ ଓ ୩୦ ତାରିଖରେ ହେବ ଭିତର ଭଣ୍ଡାରର ରତ୍ନ ଅଳଙ୍କାର ଗଣତିମଣତି କାର୍ଯ୍ୟ। ପୂର୍ବରୁ ଦଶ ଦିନର ଗଣତିରେ ମୋଟ ୬୦ ଘଣ୍ଟାର ଗଣତି ପ୍ରକ୍ରିୟା ସରିଛି। ଚଳନ୍ତି ଭଣ୍ଡାରରେ କେବଳ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଥିବା ଦୁଇ ଅଳଙ୍କାରକୁ ଛାଡ଼ି ଅନ୍ୟ ଅଳଙ୍କାର ଗଣତି ଶେଷ ହୋଇଛି।
୧୯୭୮ ତାଲିକା ଅନୁଯାୟୀ ଭିତର ରତ୍ନ ଭଣ୍ଡାରରେ ୪୩୬୪ ଭରିର ୩୬୭ ପ୍ରକାର ସୁନା ଓ ୧୪୮୭୮ ଭରିର ୨୩୧ ପ୍ରକାର ରୁପା ଅଳଙ୍କାର ରହିଛି । ସବୁ ଅଳଙ୍କାରର ୧୯୭୮ ତାଲିକା ଅନୁଯାୟୀ ମେଳକ ସହ ଚିହ୍ନଟ ହୋଇନଥିବା ବେଳେ ଅଧିକ ଅଳଙ୍କାରକୁ ୨୦୨୬ର ନୂଆ ତାଲିକା ସହ ଯୋଗ କରାଯାଉଛି । ମେଳକ ସମୟରେ ସମସ୍ତ ଅଳଙ୍କାରଗୁଡ଼ିକର ୩ଡି ମ୍ୟାପିଙ୍ଗ ଓ ଫଟୋଗ୍ରାଫି, ଭିଡିଓଗ୍ରାଫି କରାଯାଉଛି । ସୁନାକୁ ହଳଦିଆ କପଡ଼ା, ରୁପାକୁ ଧଳା କପଡ଼ା ଓ ଅନ୍ୟ ଅଳଙ୍କାର ସବୁକୁ ନାଲି କପଡ଼ାରେ ରଖି ତାକୁ ଛୋଟ ଷ୍ଟିଲ୍ ବାକ୍ସରେ ରଖିବା ପରେ ନୂଆ ସିନ୍ଦୁକରେ ରଖାଯାଉଛି ।