ଶ୍ରୀକ୍ଷେତ୍ରରେ ମହା ଆଡ଼ମ୍ବରରେ ରଥ ନିର୍ମାଣ ଅନୁକୂଳ ସମ୍ପାଦିତ

ଶ୍ରୀକ୍ଷେତ୍ରରେ ମହା ଆଡ଼ମ୍ବରରେ ରଥ ନିର୍ମାଣ ଅନୁକୂଳ ସମ୍ପାଦିତ ହୋଇଛି । ବୈଶାଖ ଶୁକ୍ଳ ତୃତୀୟା ଅର୍ଥାତ୍ ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିର ବିଧି ମୁତାବକ ରଥ କାର୍ଯ୍ୟ ପାଇଁ ଆନୁଷ୍ଠାନିକ ଭାବେ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି ।  ସନାତନ ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯାଗ ହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଛନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଗୋଟିଏ ଧଉରା କାଠ ଗଣ୍ଡିରେ ସୂବର୍ଣ୍ଣ କୁରାଢିର ସ୍ପର୍ଶ କରାଯାଇଥିଲା। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଓ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆଗମନ ହୋଇଥିଲା । ଶ୍ରୀମନ୍ଦିର ବିଧି ମୁତାବକ ତିନିଜଣ ପୂଜାପଣ୍ଡା ଏହି ଆଜ୍ଞାମାଳ ନେଇ ଆସିଥିଲେ । ତିନୋଟି ରଥ ପାଇଁ ତିନୋଟି ଆଜ୍ଞାମାଳ ବିଜେ ହୋଇଥିଲା । ଶ୍ରୀମନ୍ଦିର ସମ୍ମୁଖ ରଥଖଳାରେ ମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣଗଣ ବନଜାଗ ପଦ୍ଧତିରେ ପୂଜା ସମ୍ପାଦନା କରିବାର ବିଧି ପାଳନ କରାଯାଇଥିଲା। ପରେ ରୂପକାର, କମାର, ଚିତ୍ରକର, ଭୋଇ, ଅମୀନ ସେବକ ମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୋଇଥିଲା। ବିଧିବଧ ପୂଜାର୍ଚ୍ଚନା ସାରି ବିଶ୍ୱକର୍ମା ସେବକ ଶାଢ଼ି ବନ୍ଧାଇ ସ୍ଵତନ୍ତ୍ର କୁରାଢ଼ିରେ ରଥ ନିର୍ମାଣ କାମ ଅନୁକୂଳ କରିଥିଲେ। ଗୁରୁବାର ଠାରୁ ଶ୍ରୀନହର ସମ୍ମୁଖ ଛାମୁଣ୍ଡିଆ ତଳେ ପବିତ୍ର ଘୋଷଯାତ୍ରା ପାଇଁ ୩ ରଥର ନିର୍ମାଣ କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଚକ ପାଇଁ  ମହାରଣା ସେବାୟତ ତୁମ୍ଭ ନିର୍ମାଣ କରିବେ। ଏହି ପବିତ୍ର ଅବସରରେ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ, ଏସପିଙ୍କ ସମେତ ଛତିଶାନିଯୋଗ ମହାନାୟକ, ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ନନ୍ଦିଘୋଷ ରଥର  ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment