ଆଜି ସଜବାଜ, କାଲି ପହିଲି ରଜ
ଆଜି ସଜବାଜ, କାଲି ପହିଲି ରଜ । ପୁରପଲ୍ଲୀ ହେଲାଣି ଉତ୍ସବମୁଖର । ଘରେ ଘରେ ପିଠାପଣା ପାଇଁ ପ୍ରସ୍ତୁତି ସହ ଦୋଳି କାମ ଶେଷ ପର୍ଯ୍ଯାୟରେ । ରଜ ୩ ଦିନ ଧରି ଜମିବ ନୃତ୍ୟଗୀତ ଓ ଭୋଜିଭାତର ଆସର । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ଅଳତି ଓ ବେଲସୁନ୍ଦରୀ ଗାଁର ବୋହୂମାନେ ଢିଙ୍କିଶାଳରେ ଭିଡ ଜମାଇଛନ୍ତି । କିଏ ଢିଙ୍କି କୁଟୁଛି ତ ଅନ୍ୟ କିଏ ଚୂନା ଚଲାଉଛି । ରଜରେ ଆରିସା,କାକରା,ମଣ୍ଡା,ପୋଡ଼ପିଠା ଆଦି ତିଆରି ପାଇଁ ଚାଲିଛି ପ୍ରସ୍ତୁତି । କେବଳ ଅଳତି ଓ ବେଲସୁନ୍ଦରୀ ଗାଁ ନୁହେଁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମୂହିକ ଭାବେ ରଜ ପାଳନ କରାଯାଉଛି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ରେ ରଜ ର ମହକ ଏବେ ଠାରୁ ଦେଖିବାକୁ ମିଳିଲାଣି। ଘରେ ଘରେ ବିଭିନ୍ନ ପ୍ରକାର ପିଠାପଣା ପ୍ରସ୍ତୁତ ହେଲାଣି! ଗାଁ ଗାଁ ରେ ରଜ ଦୋଳି ତିଆରି ସାରିଲାଣି! ଯୁବତୀ ଓ ମହିଳା ମାନେ ମେହେନ୍ଦି ଓ ରଙ୍ଗ ଅଳତା ରେ ସଜେଇ ହେଲେଣି । ଆଶା ରଖିଛନ୍ତି ରଜ ହେବ ରଙ୍ଗୀନ । ଆରମ୍ଭ ହୋଇଯାଇଛି ରଜ କାର୍ଯ୍ୟକ୍ରମ । ବରିଷ୍ଠ ନାଗରିକଙ୍କଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାଙ୍କ ପର୍ଯ୍ୟନ୍ତ ଆରମ୍ଭ କରିଛନ୍ତି ରଜର ମାହୋଲ ।
ରାତି ପାହିଲେ ରଜ , ପ୍ରତି ଓଡିଆଙ୍କ ପାଇଁ ୫ ଦିନିଆ ପର୍ବ । ସଜବାଜ, ଖିଆପିଆ, ବୁଲାବୁଲି ଓ ମଜାମସ୍ତିରେ ସମୟ ବିତାଇବାର ମୁହୂର୍ତ୍ତ । ସଜବାଜରୁ ଆରମ୍ଭ ହେଉଥିବା ଏହି ପର୍ବ ବସୁମତି ସ୍ନାନରେ ଶେଷ ହୁଏ । ଆଜି ହେଉଛି ସେଇ ସଜବାଜ ବା ରଜ ଉତ୍ସବର ଆଦ୍ୟ ପର୍ବ କହିଲେ ଚଳେ । ଆଉ ସମସ୍ତ ମିଳିମିଶି ଏହି ଖୁସିର ପର୍ବକୁ ପାଳନ କରିଥାନ୍ତି ।