ଆଜି ପୁଣି ଖୋଲିବ ରତ୍ନଭଣ୍ଡାର
ଶ୍ରୀଜଗନ୍ନାଥ ମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ଯାଞ୍ଚ ଆଜି (ବୁଧବାରଠାରୁ) ଆରମ୍ଭ ହେବ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାର ଅତିରିକ୍ତ ମହାନିର୍ଦେଶକ ଏଥିପାଇଁ ଗଠିତ ଉଚ୍ଚସ୍ତରୀୟ ବୈଷୟିକ କମିଟିର ନେତୃତ୍ୱ ନେବେ। ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ଭାରତୀୟ ବୈଷୟିକ ପ୍ରତିଷ୍ଠାନ ଏବଂ ଜାତୀୟ କୋଠା ଗବେଷଣା କେନ୍ଦ୍ରର ଦୁଇଜଣ ବିଶେଷଜ୍ଞ ଉପସ୍ଥିତ ରହିବେ। ରତ୍ନଭଣ୍ଡାର ଯାଞ୍ଚ ପ୍ରକ୍ରିୟାରେ ଅତ୍ୟାଧୁନିକ ଜ୍ଞାନ କୌଶଳର ଉପଯୋଗ କରାଯିବ। ତେଣୁ ଆଜି ଦିନ ୧ଟା ଠାରୁ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତାହାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ବୈଷୟିକ କମିଟିର ସଦସ୍ୟମାନେ ସଂପୂର୍ଣ୍ଣ ଶୁଦ୍ଧପୂତ ଭାବେ ପାଟମଠା ଓ ଧୋତି ପିନ୍ଧି ଭିତରେ ପ୍ରବେଶ କରିବେ। ରତ୍ନଭଣ୍ଡାର ଖୋଲାଯାଇ ଚଟାଣ, କାନ୍ଥ ଏବଂ ଛାତର ଲେଜର ସ୍କାନିଂ ସମେତ ଜିପିଆରଏସ୍ ସର୍ଭେ କରାଯିବ। ରତ୍ନଭଣ୍ଡାର ଭିତରେ ଆଉ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ରହିଛି କି ଦୁଇଥର ସେଥିନେଇ ଯାଞ୍ଚ କରାଯିବ। ଶୁକ୍ରବାର ସୁଦ୍ଧା ତିନିଦିନ ଭିତରେ ଯାଞ୍ଚ ପ୍ରକ୍ରିୟା ଶେଷ କରାଯିବ। ଯଦି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗର ସନ୍ଧାନ ନମିଳେ ତାହାହେଲେ ଦୁଇଟି ଯାକ ରତ୍ନ ଭଣ୍ଡାରର ଆବଶ୍ୟକ ମରାମତି କରାଯିବ। ରାଜ୍ୟ ସରକାର ଅନୁମୋଦନ କରିଥିବା ମାର୍ଗଦର୍ଶିକା ଗୁଡିକୁ କଡାକଡି କାର୍ଯ୍ୟକାରୀ ପାଇଁ ନିର୍ଦେଶ ଦିଆଯାଇଛି।