ହାତୀବେଶରେ ଭକ୍ତଙ୍କୁ ଦର୍ଶଦ ଦେଇଛନ୍ତି ଶ୍ରୀଜିଉ

ଅପେକ୍ଷା କରିଥିଲେ ସ୍ନାନବେଦି । ଅପେକ୍ଷା କରିଥିଲେ ଅଗଣିତ ଭକ୍ତ । ଉତ୍କଣ୍ଠାରେ ଉଚ୍ଛୁଳି ପଡୁଥିଲା ବଡ଼ଦାଣ୍ଡ । କେତେବେଳେ ଆସିବେ କାଳିଆ ସାଆନ୍ତ । ନେତ୍ର ପବିତ୍ର ହେବ, ଆତ୍ମା- ପରମାତ୍ମାଙ୍କ ମିଳନ ହେବ । ଶେଷରେ ଆସିଲା ସେହି ମାହେନ୍ଦ୍ର ମୁହୂର୍ତ୍ତ । ପ୍ରତ୍ୟୁଷରେ ଶ୍ରୀମନ୍ଦିରରେ ଦ୍ବାରଫିଟା ଓ ଅନ୍ୟନୀତି ସମ୍ପନ୍ନ ପରେ ରତ୍ନ ସିଂହାସନରୁ ଓହ୍ଲାଇ ଆସିଥିଲେ ଚତୁର୍ଦ୍ଧା ମୂର୍ତ୍ତି । ଆରମ୍ଭ ହୋଇଥିଲା ପହଣ୍ଡି । ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ହୋଇଉଠିଥିଲା ପରିବେଶ ।ଦୂରରୁ ଦାରୁବ୍ରହ୍ମଙ୍କ ଦର୍ଶନ ପାଇବା ମାତ୍ରେ ଉଲ୍ଲସିତ ହୋଇ ଉଠିଥିଲେ ଭକ୍ତ । ଝୁଲିଝୁଲି ସ୍ନାନବେଦିରେ ବିଜେ କରିଥିଲେ ଶ୍ରୀଜିଉ । ଘଣ୍ଟଘଣ୍ଟା ଓ ହରିବୋଲ ହୁଳହୁଳି ଧ୍ୱନିରେ କମ୍ପି ଉଠିଥିଲା ଶ୍ରୀକ୍ଷେତ୍ର । ପହଣ୍ଡି ବିଜେ ସମୟରେ ଠାକୁରଙ୍କୁ ଲାଗି ହୋଇଥିଲା ଚୂଳ ଓ ଟାହିୟା ।ମଙ୍ଗଳ ଆଳତି, ମଇଲମ, ଅବକାଶ ପରେ ଆରମ୍ଭ ହୋଇଥିଲା ସ୍ନାନନୀତି । ବିଭିନ୍ନ ନୀତିକାନ୍ତି ପରେ ଶ୍ରୀମନ୍ଦିରର ସୁନାକୂଅର ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନ କରାଯାଇଥିଲା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ପ୍ରତ୍ୟହ ମନ୍ତ୍ର ମାଧ୍ୟମରେ ସ୍ନାନ କରାଯାଉଥିବା ବେଳେ ଏ ସ୍ନାନ ଥିଲା ପ୍ରତ୍ୟକ୍ଷ ସ୍ନାନ, ଦିବ୍ୟସ୍ନାନ । ବଡ଼ଦାଣ୍ଡରେ ଭକ୍ତ ଭାବବିହ୍ବଳ ହୋଇପଡୁଥିଲେ ।

ଚାଲିଥିଲା ସ୍ନାନ ପରର ନୀତିକାନ୍ତି । ଶ୍ରୀନଅରରୁ ତାମଯାନରେ ଶ୍ରୀମନ୍ଦିର ସ୍ନାନବେଦିକୁ ଆସିଥିଲେ ଦାରୁଦିଅଁଙ୍କ ଆଦ୍ୟସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପରମ୍ପରା ମୁତାବକ ଗଜପତି ସ୍ନାନଣ୍ଡପରେ ଛେରା ପହଁରା କରିଥିଲେ । ଶେଷରେ ହାତୀବେଶ ଧାରଣ କରିଥିଲେ ମହାପ୍ରଭୁ । ପୁରୀର ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠ ପକ୍ଷରୁ ପ୍ରଦତ୍ତ ହାତୀ ବା ଗଜାନନ ବେଶରେ ଦାରୁବ୍ରହ୍ମଙ୍କୁ ସଜାଇ ଦିଆଯାଇଥିଲା । ବିଶ୍ବାସ ରହିଛି, ଗଣେଶଙ୍କ ଭକ୍ତ ଗଣପତି ଭଟ୍ଟଙ୍କ ଇଚ୍ଛା ପୂରଣ କରିବାକୁ ମହାପ୍ରଭୁ ଏହି ବେଶ ଧାରଣ କରିଥିଲେ । ସେହିଦିନଠାରୁ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଏହି ପରମ୍ପରା ଚଳି ଆସୁଛି । ସ୍ନାନଯାତ୍ରାରେ ଶ୍ରୀଜିଉ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ଆସୁଛନ୍ତି । ସ୍ନାନଯାତ୍ରା ପରେ ଆଉ ରତ୍ନବେଦୀକୁ ଫେରନ୍ତି ନାହିଁ ଠାକୁର । ଅତ୍ୟଧିକ ଗାଧୋଇବା ଯୋଗୁଁ ଭାଇ ଓ ଭଉଣୀଙ୍କ ସହ ଜ୍ୱରରେ ପଡିଥାନ୍ତି ଜଗନ୍ନାଥ । ଅଣସର ଘରେ ଗୁପ୍ତ ସେବା ପରେ ଜ୍ୱରରୁ ଆରୋଗ୍ୟ ଲାଭ କରନ୍ତି ମହାପ୍ରଭୁ ।

Leave a comment