ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିବା ସବୁଭକ୍ତଙ୍କୁ ମିଳିବ ମହାପ୍ରସାଦ
ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିବା ସବୁଭକ୍ତଙ୍କୁ ମିଳିବ ମହାପ୍ରସାଦ। ଦର୍ଶନ ସରିବାପରେ ସାଙ୍ଗରେ ମହାପ୍ରସାଦ ନେଇ ଘରକୁ ଯାଇପାରିବେ ଭକ୍ତ। ଏ ବାବଦରେ ଆଲୋଚନା ଆରମ୍ଭ ହୋଇଛି। ଜୟଦେବ ଭବନରେ ଆଜି ଆୟୋଜିତ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏଥିସହିତ ପୁରୀକୁ ବିଶ୍ୱର ସର୍ବଶ୍ରେଷ୍ଠ ସହରରେ ପରିଣତ କରିବାଲାଗି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ବୋଲି ସେ କହିଥିଲେ। ସେହିପରି ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ପୁରୀ ରଥଯାତ୍ରା ସହାୟତା ଯୋଗାଇ ଦିଆଯାଇଥିଲା। ଆସନ୍ତାବର୍ଷ କିନ୍ତୁ ସମସ୍ତ ରଥଯାତ୍ରାକୁ ଆଖିଦୃଶିଆ ଭାବରେ ସହାୟତା ଯୋଗାଇ ଦିଆଯିବା ପାଇଁ ଯୋଜନା କରାଯାଉଛି। ତିରୁପତି ବାଲାଜୀ ମନ୍ଦିର ଲଡୁରେ ବ୍ୟବହୃତ ଘିଅକୁ ନେଇ ବିବାଦ ଉପୁଜିବା ପ୍ରସଙ୍ଗ ଉଲ୍ଲେଖକରି ଶ୍ରୀମନ୍ଦିର ଅବଢ଼ାର ମାନ ଯାଞ୍ଚ ପାଇଁ ଚିନ୍ତା କରାଯାଉଛି ବୋଲି ମନ୍ତ୍ରୀ କହିଥିଲେ। ରୋଷଶାଳାକୁ ରନ୍ଧନ ସାମଗ୍ରୀ ଯିବା ପୂର୍ବରୁ ଓ ରୋଷଶାଳାରୁ ଅବଢ଼ା ବାହାରିବା ପରେ ତାହାର ମାନ ପରୀକ୍ଷା କରିବେ ଫୁଡ୍ ଇନ୍ସପେକ୍ଟର। ଏଥିପାଇଁ ନିଯୋଗମାନେ ସହଯୋଗ କରିବେ ବୋଲି ସେ ଆଶା ପ୍ରକଟ କରିଥିଲେ।