ନବରାତ୍ରିର ତୃତୀୟ ଦିନ,‘କଳାକଲ୍ଲୀ ବେଶ’ରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା
ଆଜି ନବରାତ୍ରିର ତୃତୀୟ ଦିନ। ଶକ୍ତିପୀଠଗୁଡ଼ିକ ଏବେ ମାଆଙ୍କ ଆରାଧନାରେ ଉତ୍ସବ ମୁଖରିତ। ଏହି ଅବସରରେ କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ପୀଠରେ ଚାଲିଛି ପୂଜାପାଠ। ନବରାତ୍ରର ତୃତୀୟ ଦିନ ତଥା ଷୋଡ଼ଶ ଉପଚାର ପୂଜାର ଏଗାରତମ ଦିନରେ କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳାଙ୍କ ପୀଠରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଅପୂର୍ବ ମିଳନ ଦେଖିବାକୁ ମିଳିଛି। ଆଜିର ଦିନର ସବୁଠାରୁ ଆକର୍ଷଣୀୟ ନୀତି ହେଉଛି ମା’ଙ୍କ ମହିଷାସୁର ଠାବ ପାଇଁ ‘ରତ୍ନଗିରି ବିଜେ ନୀତି’। ଏ ଅବସରରେ ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ଭବ୍ୟ ମଣି ବିମାନରେ ବସାଯାଇଥିଲା। ଘଣ୍ଟ, ଘଣ୍ଟା, କାହାଳି ଓ ମଶାଲର ଶୋଭାଯାତ୍ରା ସହିତ ମନ୍ଦିର ସାମ୍ନାରେ ଥିବା ରତ୍ନଗିରି ମଣ୍ଡପକୁ ମା’ ବିଜେ କରିଥିଲେ। ଏହାପରେ ମନ୍ଦିର ଭିତରେ ଜଗତି ପୂଜା ସମ୍ପନ୍ନ ହୋଇଥିଲା ଏବଂ ମା’ ଅତି ମନୋହର ‘କଳାକଲ୍ଲୀ ବେଶ’ରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଆଜି ପବିତ୍ର ନିଶା ମଙ୍ଗଳବାରର ତୃତୀୟ ପାଳି ପଡ଼ିଥିବାରୁ ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ମାନସିକଧାରୀ ଭକ୍ତମାନେ ନିଜର ମାନସିକ ପୂରଣ ପାଇଁ ଅଖଣ୍ଡ ଦୀପ ଜାଳି ମା’ଙ୍କ କୃପା ଲାଭ କରୁଛନ୍ତି।