ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପରେ ବିଳମ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯାଜପୁର ସାଂସଦ
ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପରେ ବିଳମ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯାଜପୁର ସାଂସଦ ରବୀନ୍ଦ୍ର ବେହେରା । ୧୧୪ କୋଟିର ବିରଜା ପରିକ୍ରମା ପ୍ରକଳ୍ପ କାହିଁକି ଅଟକିଲା ? ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ । ଯାଜପୁର ସହରର ପ୍ରସିଦ୍ଧ ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପରେ ବିଳମ୍ବକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଯାଜପୁର ଲୋକସଭା ସାଂସଦ ରବୀନ୍ଦ୍ର ନାରାୟଣ ବେହେରା । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ପ୍ରକଳ୍ପର ଶୀଘ୍ର କାର୍ଯ୍ୟାରମ୍ଭ ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି । ସାଂସଦ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପୂର୍ବ ସରକାରଙ୍କ ଅମଳରେ ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପଦକ୍ଷେପ ନିଆଯାଇଥିଲା । ଗତ ବର୍ଷ ଯାଜପୁର ଜିଲ୍ଲା ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଆଶ୍ୱାସନ ଦେଇଥିଲେ । ଏପରିକି ସମ୍ପୃକ୍ତ ବିଭାଗକୁ ପ୍ରାୟ ୧୧୪ କୋଟି ଟଙ୍କାର ଡିପିଆର୍ ପ୍ରସ୍ତୁତ କରିବାକୁ ମଧ୍ୟ କୁହାଯାଇଥିଲା । ମାତ୍ର ଏପର୍ଯ୍ୟନ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଯାଜପୁରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ସେ ଦର୍ଶାଇଛନ୍ତି ।