ଅଦିନରେ ରଥଯାତ୍ରା କରିବା ନେଇ ଇସ୍କନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ,ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ

ପୁଣି ମହାପ୍ରଭୁଙ୍କ ପରମ୍ପରାକୁ ଅବମାନନା କଲା ଇସ୍କନ । ଅଦିନରେ ରଥଯାତ୍ରା କରିବା ନେଇ ଇସ୍କନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ । ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମଧ୍ୟରେ ସୃଷ୍ଟି ହୋଇଛି ତୀବ୍ର ଅସନ୍ତୋଷ । ଆମେରିକାର ଟେକ୍ସାସ ଓ ଅଷ୍ଟ୍ରେଲିଆର କିଙ୍ଗ ଜଜ୍ ସ୍କୋୟାର ବ୍ରିସବେନରେ ରଥଯାତ୍ରା ଆୟୋଜନ ନେଇ ସୋସିଆଲ ମିଡିଆରେ ଇସ୍କନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାରମ୍ବାର ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଇସ୍କନକୁ ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ପ୍ରଶାସନ ଅବଗତ କରୁଥିଲେ ମଧ୍ୟ ଭାରତ ବାହାରେ ଇସ୍କନ ଅଦିନିଆ ରଥଯାତ୍ରା ପାଳନ କରିବାକୁ ନେଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କ ସହିତ ଯୋଗାଯୋଗ କରି ଅଦିନିଆ ରଥଯାତ୍ରା ଆୟୋଜନ ବନ୍ଦ କରିବାକୁ ଦାବି ହୋଇଛି ।

ଅଦିନିଆ ରଥଯାତ୍ରା ବନ୍ଦ କରିବା ପାଇଁ ଗତକିଛି ଦିନ ପୂର୍ବେ ଗଜପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏପରି କାର୍ଯ୍ୟ ନକରିବା ପାଇଁ ଇସ୍କନକୁ ଚିଠି ଦ୍ବାରା ଅବଗତ କରାଯାଇଥିଲା। ଶାସ୍ତ୍ରୀୟ ମତ ଅନୁସାରେ ଏହା ପରମ୍ପରା ବିରୋଧି ବୋଲି ଇସ୍କନକୁ କୁହାଯାଇଛି। ତେବେ ଭାରତ ଭିତରେ ଇସ୍କନ ତିଥି ଅନୁସାରେ ରଥଯାତ୍ରା ଆୟୋଜନ କରୁଥିବା ବେଳେ ଭାରତ ବାହାରେ ଏହାକୁ ମାନୁନାହିଁ। ବର୍ଷ ତମାମ ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ଆୟୋଜନ କରୁଛି ଇସ୍କନ୍। କେବଳ ଜଗନ୍ନାଥଙ୍କୁ ମାନୁଥିବା ନେଇ ଦାବି କରୁଥିବା ଇସ୍କନ ସଂସ୍ଥା ମହାପ୍ରଭୁଙ୍କ ପରମ୍ପରାକୁ ଅଣଦେଖା କରିବା ଠିକ୍ ନୁହେଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଅଦିନିଆ ରଥଯାତ୍ରାରୁ ଇସ୍କନ ନିବୃତ୍ତ ରହିବାକୁ ପୁନର୍ବାର ଅନୁରୋଧ କରିଛନ୍ତି ସେବାୟତ ଓ ମୁଖ୍ୟ ପ୍ରଶାସକ।ଗତ ଅକ୍ଟୋବର ୨୦୨୫ ରେ ଇସ୍କନ ପକ୍ଷରୁ ତିଥିରେ ରଥଯାତ୍ରା ଆୟୋଜନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଇସ୍କନ ଭାରତ ବାହାରେ ଏହାକୁ ପାଳନ କରୁନଥିବାବେଳେ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ଜଗନ୍ନାଥ ପ୍ରେମୀ ଓ ସେବାୟତ ଦାବି କରିଛନ୍ତି।

Leave a comment