ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
ବୁଧବାର ଜ୍ୟେଷ୍ଠ କୃଷ୍ଣ ମଳ ଚତୁର୍ଥୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ହେବ । ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଶ୍ରୀମୁଖ ସିଂହାର କରିବେ । ଏହି ବିଶେଷ ନୀତି ପାଇଁ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଅପରାହ୍ଣରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ମହାପ୍ରଭୁଙ୍କ ବନକଲାଗି ପ୍ରସ୍ତୁତି ହେବ । ଦତ୍ତମହାପାତ୍ର ସେବକମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବା ପାଇଁ ଗର୍ଭଗୃହକୁ ପ୍ରବେଶ କରିବେ । ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯିବ । ଏହାଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ । ଉକ୍ତ ଦିନର ଠାକୁରଙ୍କ ସେବାପୂଜାର ନୀତି ନିର୍ଘଣ୍ଟକୁ ନେଇ ବନକଲାଗିର ଅସଲ ସମୟ ଧାର୍ଯ୍ୟ ହେବ ।