ଆଜି ରଥ ଉପରେ ଶ୍ରୀଜିଉଙ୍କ ‘ଅଧର ପଣା’ ନୀତି ,ଅଶରୀରୀ ଓ ଚଣ୍ଡୀ-ଚାମୁଣ୍ଡାଙ୍କ ଉଦ୍ଧାର ପାଇଁ ରଥରେ ଭଙ୍ଗାଯିବ ୯ଟି ମାଟି ହାଣ୍ଡି

ଆଜି ରଥ ଉପରେ ଶ୍ରୀଜିଉଙ୍କ ‘ଅଧର ପଣା’ ନୀତି । ଅଶରୀରୀ ଓ ଚଣ୍ଡୀ-ଚାମୁଣ୍ଡାଙ୍କ ଉଦ୍ଧାର ପାଇଁ ରଥରେ ଭଙ୍ଗାଯିବ ୯ଟି ମାଟି ହାଣ୍ଡି । ଶ୍ରୀକ୍ଷେତ୍ରରେ ଚାଲିଥିବା ମହାପ୍ରଭୁଙ୍କ ଘୋଷଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଆଜି ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅତ୍ୟନ୍ତ ପବିତ୍ର ଓ ଆଧ୍ୟାତ୍ମିକ ‘ଅଧର ପଣା’ ନୀତି ଅନୁଷ୍ଠିତ ହେବ । ଗତକାଲି ସୁନାବେଶ ପରେ ଆଜି ଆଷାଢ଼ ଶୁକ୍ଳ ଦ୍ଵାଦଶୀ ତିଥିରେ ତିନି ରଥ ଉପରେ ମହାପ୍ରଭୁଙ୍କ ସମ୍ମୁଖରେ ଏହି ସ୍ଵତନ୍ତ୍ର ଭୋଗ ଅର୍ପଣ କରାଯିବ। ଶ୍ରୀମନ୍ଦିର ସିଂହଦ୍ଵାର ନିକଟସ୍ଥ କୂଅରୁ ପାଟରା ଓ ପାନୀୟ ଆପଟ ସେବକମାନେ ପବିତ୍ର ଜଳ ଆଣିବା ପରେ ମହାସୁଆର ସେବକମାନେ ପଣା ପ୍ରସ୍ତୁତ କରିବେ ।

ଏହି ପବିତ୍ର ଜଳରେ ଛେନା, କ୍ଷୀର, ସର, ପାଚିଲା କଦଳୀ, ଗୋଲମରିଚ, ଜାଈଫଳ, କର୍ପୂର, ଶର୍କରା ଓ ତୁଳସୀ ଆଦି ସୁବାସିତ ଦ୍ରବ୍ୟ ମିଶାଯାଇ ଏହି ସ୍ଵାଦିଷ୍ଟ ପଣା ତିଆରି କରାଯିବ। ମହାପ୍ରଭୁଙ୍କ ଶ୍ରୀଓଠ ବା ଅଧରର ଉଚ୍ଚତା ସହ ସମାନ ହେଉଥିବା ବିଶେଷ ଲାଉ-ତୁମ୍ଭ ଆକୃତିର ଉଚ୍ଚ ମାଟି ହାଣ୍ଡିରେ ଏହି ପଣା ରଖାଯିବ। ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନରେ ମୋଟ ୯ଟି ସ୍ଵତନ୍ତ୍ର ମାଟି ହାଣ୍ଡିରେ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ବିଧିରେ ଏହି ଭୋଗ ଲାଗି କରିବେ। ଏହି ନୀତିର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି, ଏହି ପଣା ଭକ୍ତମାନଙ୍କୁ ପ୍ରସାଦ ଆକାରରେ ଦିଆଯାଏ ନାହିଁ ।

ପୂଜା ସମ୍ପନ୍ନ ହେବା କ୍ଷଣି ରଥ ଉପରେ ଏହି ମାଟି ହାଣ୍ଡିଗୁଡ଼ିକୁ ଭାଙ୍ଗି ଦିଆଯିବ। ଧାର୍ମିକ ବିଶ୍ଵାସ ଅନୁସାରେ, ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସହ ଆସିଥିବା ଅଦୃଶ୍ୟ ଦେବଦେବୀ, ରଥ ରକ୍ଷକ, ଚଣ୍ଡୀ, ଚାମୁଣ୍ଡା, ଡାକିନୀ, ଯୋଗିନୀ ଓ ଅତୃପ୍ତ ଅଶରୀରୀ ଆତ୍ମାମାନଙ୍କୁ ସନ୍ତୋଷ ଓ ମୁକ୍ତି ପ୍ରଦାନ କରିବା ପାଇଁ ଏହି ପଣା ଢଳାଯାଇଥାଏ। ପଣା ରଥର କାଠ ଦେଇ ତଳକୁ ବହିଯିବ, ଯାହାକୁ ଆସ୍ଵାଦନ କରି ପାର୍ଶ୍ଵ ଦେବଦେବୀ ଓ ଆତ୍ମାମାନେ ତୃପ୍ତ ହେବେ।

ଅଧର ପଣା ନୀତି ଶେଷ ହେବା ସହ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ସମସ୍ତ ନକାରାତ୍ମକ ଶକ୍ତିର ଶାନ୍ତି ସ୍ଥାପନ ପ୍ରକ୍ରିୟା ପୂରଣ ହେବ। ଆସନ୍ତାକାଲି ମହାପ୍ରଭୁଙ୍କ ପ୍ରସିଦ୍ଧ ‘ନୀଳାଦ୍ରି ବିଜେ’ ନୀତି ଅନୁଷ୍ଠିତ ହେବ। ଯେଉଁଥିରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ରଥରୁ ଓହ୍ଲାଇ ନିଜ ରତ୍ନସିଂହାସନକୁ ବିଜେ କରିବେ।

Leave a comment