ଇଣ୍ଡି ମେଣ୍ଟ ରୢାଲି ଯୋଗୁଁ ପ୍ରାୟ ୧୦,୦୦୦ରୁ ୧୧,୦୦୦ କୋଟି ଟଙ୍କାର କ୍ଷତି ହୋଇଥିବ ଦାବି କରିଛି ସିଟିଆଇ
ଦିଲ୍ଲୀର ରାମଲୀଳା ମୈଦାନରେ ରବିବାର ହୋଇଥିବା ଇଣ୍ଡି ମେଣ୍ଟ ରୢାଲି ଯୋଗୁଁ ଦୀପାବଳି ପୂର୍ବରୁ ଦିଲ୍ଲୀରେ ବ୍ୟବସାୟୀଙ୍କର ବଡ଼ଧରଣର କ୍ଷତି ହୋଇଥିବା ବ୍ୟବସାୟୀ ସଂଘ ବାଣିଜ୍ୟ ଓ ଶିଳ୍ପ ଚାମ୍ବର (ସିଟିଆଇ) ଦାବି କରିଛି।
ସିଟିଆଇ ଦାବି ଅନୁଯାୟୀ, ରବିବାର ଦିଲ୍ଲୀରେ ୨୦ରୁ ୨୫ଟି ବଡ଼ ମାର୍କେଟରେ ପାଖାପାଖି ଅଢେଇ ଲକ୍ଷ ଦୋକାନ ବନ୍ଦ ରହିଥିଲା, ଯେଉଁଥିପାଇଁ ପ୍ରାୟ ୧୦,୦୦୦ରୁ ୧୧,୦୦୦ କୋଟି ଟଙ୍କାର କ୍ଷତି ହୋଇଥିବା ଦାବି କରାଯାଇଛି। ସିଟିଆଇ ଅଧ୍ୟକ୍ଷ ବ୍ରିଜେଶ ଗୋୟଲ କହିଛନ୍ତି, ରୢାଲି ହୋଇଥିବା ଆଖପାଖ ଅଞ୍ଚଳରେ ପ୍ରାୟ ୩ ଲକ୍ଷ ଦୋକାନ ଥିବାବେଳେ ପାଖାପାଖି ୮୦% ଦୋକାନ ବନ୍ଦ ରହିଥିଲା। ଜାତୀୟ ରାଜଧାନୀର ଆଖପାଖ ସହରରୁ ଗ୍ରାହକ, ଯୋଗାଣକାରୀ ଓ ଡିଲରଙ୍କ ଗତିବିଧି ମଧ୍ୟ ରୢାଲି ଯୋଗୁ ପ୍ରଭାବିତ ହୋଇଥିଲା।
ଲୋଡିଂ ଓ ଅନଲୋଡିଂ କାର୍ଯ୍ୟ ବାଧାପ୍ରାପ୍ତ
ଗୋୟଲଙ୍କ ଅନୁଯାୟୀ, ବ୍ୟବସାୟ ପାଇଁ ନିୟମିତ ଭାବରେ ଦିଲ୍ଲୀ ଆସୁଥିବା ପ୍ରାୟ ତିନିରୁ ଚାରି ଲକ୍ଷ ଲୋକ ପହଞ୍ଚି ନଥିଲେ, ଟେମ୍ପୋ ଓ ଟ୍ରକ୍ ସମେତ ପ୍ରାୟ ୫୦୦୦ ଯାନ ପୁରୁଣା ଦିଲ୍ଲୀ ଓ କେନ୍ଦ୍ରୀୟ ଦିଲ୍ଲୀର ବଜାରକୁ ସାମଗ୍ରୀ ପରିବହନ କରିପାରି ନଥିଲେ।
ଗୋୟଲ ଆହୁରି କହିଛନ୍ତି ଯେ, ବର୍ଷର ସବୁଠାରୁ ବ୍ୟସ୍ତବହୁଳ ସମୟରେ ଲୋଡିଂ ଓ ଅନଲୋଡିଂ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା, ଯାହା ଫଳରେ ପାଇକାରୀ ଓ ଖୁଚୁରା ବ୍ୟବସାୟ ପ୍ରଭାବିତ ହୋଇଥିଲା। ବ୍ୟବସାୟୀଙ୍କର ହୋଇଥିବା କ୍ଷତିର ଭରଣା କିଏ କରିବ, ଆୟୋଜକ ଏହା ଭରଣା କରିବେ କି ବୋଲି ଗୋୟଲ ପ୍ରଶ୍ନ କରିଛନ୍ତି। ଆଗକୁ ଧନତେରସ୍ ଓ ଦୀପାବଳି ଥିବା ଯୋଗୁ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି ବୋଲି ସେ କହିଛନ୍ତି।