ମେ ୨୩ରୁ ୨୮ କାହିଁକି ବନ୍ଦ ରହିବ SBI ?

ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଜରୁରୀ ଖବର। ଶନିବାର ଠାରୁ ୬ ଦିନ ଅର୍ଥାତ ମେ ୨୩ରୁ ମେ ୨୮ ପର୍ଯ୍ୟନ୍ତ ବନ୍ଦ ରହିବ ଏସବିଆଇ। ଅବଶ୍ୟ ଏହି ବନ୍ଦ ସମୟରେ ବ୍ୟାଙ୍କର ବିଭିନ୍ନ ଅନଲାଇନ ସେବା ଯେପରିକି ଇଣ୍ଟରନେଟ ବ୍ୟାଙ୍କିଂ, ଏନଇଏଫଟି, ଆରଟିଜିଏସ, ୟୁପିଆଇ, ଏଟିଏମ ଇତ୍ୟାଦି ପୂର୍ବ ଭଳି ଜାରି ରହିବ। ତଥାପି ଧର୍ମଘଟ ‘ଓ୍ବର୍କମେନ କାଟାଗୋରୀ’ (କ୍ଲର୍କ ଏବଂ ଅନ୍ୟାନ୍ୟ କର୍ମଚାରୀ)ର ହୋଇଥିବାରୁ, ଚେକ୍ କ୍ଲିୟରିଂ, କ୍ୟାସ୍ କାଉଣ୍ଟର ଏବଂ ପାସବୁକ୍ ଅପଡେଟ୍ ଭଳି କାମ ଠପ୍ ହୋଇପାରେ।

ମେ ୨୩ରୁ ୨୮ କାହିଁକି ବନ୍ଦ ରହିବ SBI ?

ଏହି ବନ୍ଦ ପଛରେ ଅନେକ କାରଣ ରହିଛି। ପ୍ରଥମତଃ ସପ୍ତାହାନ୍ତ ଛୁଟି। ମେ ୨୩ ତାରିଖ ହେଉଛି ମାସର ଚତୁର୍ଥ ଶନିବାର। ଏହା ପରେ ମେ ୨୪ ତାରିଖ ହେଉଛି ରବିବାର। ନିୟମ ଅନୁଯାୟୀ, ଦେଶବ୍ୟାପୀ ସମସ୍ତ ବ୍ୟାଙ୍କ ପ୍ରତି ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବନ୍ଦ ରହିଥାଏ, ତେଣୁ ଏହି ଦୁଇ ଦିନରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଦ୍ବିତୀୟରେ SBI କର୍ମଚାରୀଙ୍କ ଧର୍ମଘଟ। ବିଭିନ୍ନ ଦାବି ନେଇ ଅଖିଳ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେସନ (AISBISF) ମେ ୨୫ ଏବଂ ୨୬ (ସୋମବାର ଏବଂ ମଙ୍ଗଳବାର) ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟ କରିବାକୁ ଯାଉଛି। ଯାହା ସିଧାସଳଖ ବ୍ୟାଙ୍କ କାର୍ଯ୍ୟକୁ ପ୍ରଭାବିତ କରିପାରେ।

ତୃତୀୟରେ ବକ୍ରିଦ: ଭାରତର ବିଭିନ୍ନ ରାଜ୍ୟରେ ବକ୍ରିଦ ପର୍ବ ଭିନ୍ନ ଭିନ୍ନ ଦିନରେ ପାଳନ କରାଯିବ। ତେବେ ଆରବିଆଇର ଘୋଷଣା ଅନୁସାରେ, ଦୁଇ ଦିନ ବକ୍ରିଦ ଛୁଟି ରହିଛି। ଦେଶର ଅଧିକାଂଶ ଅଞ୍ଚଳରେ ବକ୍ରିଦ ମେ ୨୭ରେ ବକ୍ରିଦ ପାଳନ ହେବ ତେଣୁ ଏହିଦିନ ବ୍ୟାଙ୍କ୍ ବନ୍ଦ। ସେହିଭଳି କିଛି ଅଞ୍ଚଳରେ ଏହା ପରଦିନ ଅର୍ଥାତ ମେ ୨୮ରେ ବକ୍ରିଦ ପାଳନ ହେବ। ତେଣୁ ମେ ୨୮ରେ ଅନ୍ୟ ଅଞ୍ଚଳରେ ଏସବିଆଇ ବନ୍ଦ ରହିବ। ଜମ୍ମୁ ଏବଂ କାଶ୍ମୀରରେ ମେ ୨୭ ଏବଂ ୨୮ ତାରିଖରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।

ଓଡ଼ିଶାରେ କେତେ ଦିନ ବନ୍ଦ ରହିବ ଏସବିଆଇ ?

ରିପୋର୍ଟ ଅନୁସାରେ, ରାଜ୍ୟରେ ମେ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୬ ଦିନ SBI ବନ୍ଦ ରହିବ। ମେ ୨୩ ଏବଂ ୨୪ ସପ୍ତାହାନ୍ତ, ଏହା ପରେ ମେ ୨୫ ଏବଂ ୨୬ ବ୍ୟାଙ୍କ୍ ଧର୍ମଘଟ ଓ ଶେଷରେ ମେ ୨୭ ତାରିଖରେ ବକ୍ରିଦ ପାଇଁ ବନ୍ଦ ରହିବ।

SBI କର୍ମଚାରୀଙ୍କ ଧର୍ମଘଟର କାରଣ ?

ଅଲ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେସନ୍ (AISBISF) ୧୬ଟି ଦାବି ପୂରଣ ପାଇଁ ଧର୍ମଘଟ ଡାକରା ଦେଇଛି। ଏହି ଧର୍ମଘଟ କର୍ମଚାରୀଙ୍କ ଅଧିକାରର ସୁରକ୍ଷା, ଉତ୍ତମ କାର୍ଯ୍ୟ ପରିସ୍ଥିତି ସୁନିଶ୍ଚିତ କରିବା ଏବଂ ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ଯେମିତିକି ‘କ୍ରସ୍-ସେଲିଂ’ (ବୀମା, ମ୍ୟୁଚୁଆଲ୍ ଫଣ୍ଡ୍ ଇତ୍ୟାଦି ବିକ୍ରୟ) ନାମରେ କର୍ମଚାରୀମାନଙ୍କୁ ଚାପ ପକାଇ ଗ୍ରାହକମାନଙ୍କୁ ଭୁଲ୍ ଉତ୍ପାଦ ବିକ୍ରୟ କରିବାର ଅଭ୍ୟାସ ବନ୍ଦ କରିବା ଦାବି ରହିଛି।

Leave a comment