ଗୁରୁଗ୍ରାମର ୨୭୧ କୋଟି ଟଙ୍କାର ସବୁଠୁ ମହଙ୍ଗା ପେଣ୍ଟ୍ହାଉସ୍ କିଣିଲେ ଉଦ୍ୟୋଗପତି ମାନବ ସର୍ଦନା
ଉଦ୍ୟୋଗପତି ମାନବ ସର୍ଦନା ଗୁରୁଗ୍ରାମର ଡିଏଲ୍ଏଫ୍ ଦି ଡାଲିଆସ୍ରେ ଏକ ପେଣ୍ଟ୍ହାଉସ୍ କିଣିଛନ୍ତି ଯାହାର ଦାମ୍ ହେଉଛି ୨୭୧ କୋଟି ଟଙ୍କା। ଏହା ହେଉଛି ଦେଶର ସବୁଠୁ ମହଙ୍ଗା ପେଣ୍ଟ୍ହାଉସ୍। ଏହାର ପ୍ରତି ବର୍ଗଫୁଟ ପାଇଁ ସେ ୨.୬ ଲକ୍ଷ ଟଙ୍କା ଦେଇଛନ୍ତି। ୧୦,୫୦୦ ବର୍ଗଫୁଟ କାର୍ପେଟ୍ ଅଞ୍ଚଳର ଏହି ପେଣ୍ଟ୍ହାଉସ୍ ହେଉଛି ଆଜି ପର୍ଯ୍ୟନ୍ତ ଦେଶରେ କାରବାର ହୋଇଥିବା ଗୋଟିଏ ନିର୍ଦ୍ଦିଷ୍ଟ ଘର ଅନୁସାରେ ସବୁଠୁ ମହଙ୍ଗା।ନିକଟରେ ୟୁଏସ୍ଭିର ଅଧ୍ୟକ୍ଷା ଲିନା ଗାନ୍ଧୀ ତିୱାରୀ ମୁମ୍ବାଇର ୱର୍ଲିରେ ସମୁଦ୍ର ଆଡ଼କୁ ମୁହଁ କରିଥିବା ଏକ ଡୁପ୍ଲେକ୍ସକୁ ୬୩୯ କୋଟି ଟଙ୍କାରେ କିଣିଥିଲେ। ସେହିପରି ଶିଳ୍ପପତି ଜେପି ଟାପାରିଆ ମୁମ୍ବାଇର ମାଲାବାର ହିଲ୍ରେ ୩୬୯ କୋଟି ଟଙ୍କାରେ ୨୭, ୧୬୦ ବର୍ଗଫୁଟର ଏକ ଟ୍ରିପ୍ଲେକ୍ସ କିଣିଥିଲେ। ଏହି କାରବାରଗୁଡ଼ିକ ଡିଏଲ୍ଏଫ୍ ପେଣ୍ଟହାଉସ୍ଠାରୁ ମହଙ୍ଗା। କିନ୍ତୁ ସେଗୁଡ଼ିକ ଥିଲା ବହୁତଳ ବିଶିଷ୍ଟ ପ୍ରାସାଦ। ଏହି ପେଣ୍ଟହାଉସ୍ଟି ହେଉଛି ଗୋଟିଏ ଘର। ୨୦୨୪ରେ ଡିଏଲ୍ଏଫ୍ କାମେଲିଆରେ ଶିଳ୍ପପତି ଋଷି ପତ୍ରି ୧୯୦ କୋଟି ଟଙ୍କାରେ ଏକ ପେଣ୍ଟହାଉସ୍ କିଣିଥିଲେ। ସେତେବେଳେ ସେ ବର୍ଗଫୁଟ ପିଛା ୧.୮ ଲକ୍ଷ ଟଙ୍କା ଦେଇଥିଲେ।