ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ବକେୟା ଥିଲେ ବି ଗ୍ରୀଷ୍ମ ଋତୁରେ କଟିବନି ବିଦ୍ୟୁତ୍ ସଂଯୋଗ

ଗ୍ରୀଷ୍ମ ଋତୁ ପାଇଁ ଘରୋଇ ଉପଭୋକ୍ତାଙ୍କୁ ବଡ଼ ଆଶ୍ବସ୍ତି । ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ବକେୟା ଥିଲେ ବି ଗ୍ରୀଷ୍ମ ଋତୁରେ କଟିବନି ବିଦ୍ୟୁତ୍ ସଂଯୋଗ । ଏ ନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀଷ୍ମ ସମୟରେ ମୌସୁମୀ ଆସିବା ପର୍ଯ୍ୟନ୍ତ ବକେୟା ବିଦ୍ୟୁତ୍ ବିଲ୍ ଥିଲେ ମଧ୍ୟ କୌଣସି ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ । ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଲ୍ ପୈଠ ନକରିବା କାରଣରୁ କୌଣସି ବି ଡ଼ିସକମ୍ (DISCOM) ଦ୍ୱାରା ଘରୋଇ ଗ୍ରାହକଙ୍କ ଅଘୋଷିତ ବିଦ୍ୟୁତ୍ କାଟ୍ କରିପାରିବେ ନାହିଁ । କେବଳ ଅତ୍ୟାବଶ୍ୟକ ମରାମତି କିମ୍ବା ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସାମୟିକ ଭାବେ ବିଦ୍ୟୁତ୍ କାଟ୍ ହୋଇପାରିବ।

ଏହି ସମସ୍ତ ପୂର୍ବ ନିର୍ଦ୍ଧାରିତ ବିଦ୍ୟୁତ୍ କାଟ୍ ବିଷୟରେ ଗ୍ରାହକଙ୍କୁ SMS ଆଲର୍ଟ ଓ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ମାଧ୍ୟମରେ ଆଗୁଆ ସୂଚନା ଦେବା ବାଧ୍ୟତାମୂଳକ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ଶକ୍ତି ବିଭାଗ ଓ ଡିଷ୍ଟ୍ରିବ୍ୟୁସନ କମ୍ପାନୀ ଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କୁ ଏହି ନିର୍ଦ୍ଦେଶ ବିଷୟରେ ଅବଗତ କରାଇବାକୁ ଅନୁରୋଧ କରିଛନ୍ତି । ଏହି ଘୋଷଣାର କଡ଼ାକଡ଼ି ଅନୁପାଳନ ନିଶ୍ଚିତ କରିବା ପାଇଁ ଦୃଢ଼ ମନିଟରିଂ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଘରୋଇ ଗ୍ରାହକମାନେ ଆଶ୍ୱସ୍ତି ପାଇପାରିବେ । ଏହି ସମସ୍ତ ନିର୍ଦ୍ଦେଶାବଳିକୁ କାର୍ଯ୍ୟକାରୀ କରିବା ଓ ସମୀକ୍ଷା କରି ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment