ଇରାନ ଓ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ
ଯୁଦ୍ଧ ବନ୍ଦ କରିବା ନେଇ ଇରାନ ଓ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତି ହେବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି। ଏହାର ବ୍ୟାରେଲ ପ୍ରତି ଦାମ ୮୦ ଡଲାର ପାଖାପାଖି ପହଞ୍ଚିଛି। ତେଣୁ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏ ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ବର୍ତ୍ତମାନ ତୈଳ ବିଶୋଧନାଗାରଗୁଡ଼ିକରେ ବିଶୋଧନ କରାଯାଉଥିବା ତେଲକୁ ଅଧିକ ଦାମ୍ରେ କିଣାଯାଇଥିଲା। ଦର ହ୍ରାସ ପାଇବା ପରେ ଯେଉଁ ତେଲ କିଣାଯାଇଛି ତାହା ବିଶୋଧନାଗାରଗୁଡ଼ିକରେ ପହଞ୍ଚିବା ପରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ସମ୍ପର୍କରେ ବିଚାର କରାଯାଇପାରିବ। ତାଙ୍କ ମନ୍ତବ୍ୟରୁ ଏହା ଜଣାପଡ଼ୁଛି ଯେ ଶସ୍ତାରେ ପେଟ୍ରୋଲ ଓ ଡିଜେଲ ପାଇବାକୁ ଗ୍ରାହକମାନଙ୍କୁ ଆହୁରି କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।ଇରାନ ଯୁଦ୍ଧ ଓ ହର୍ମୁଜ ପ୍ରଣାଳୀରେ ପରିବହନ ପ୍ରଭାବିତ ହେବା ପରେ ସାରା ବିଶ୍ବର ଶକ୍ତି ବଜାରରେ ଅସ୍ଥିରତା ଦେଖାଦେଇଥିଲା।ବିଭିନ୍ନ ଦେଶ ତେଲ ଦର ସଙ୍ଗେ ସଙ୍ଗେ ବଢ଼ାଇଥିଲେ। କିନ୍ତୁ ଭାରତରେ ୭୬ ଦିନ ପରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଥିଲା। ଚାରି ଥରରେ ଉଭୟ ତେଲର ଦାମ୍ ଲିଟରକୁ ୮ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ବାସ୍ତବ ସ୍ଥିତିକୁ ଅନୁଶୀଳନ କଲେ ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ୍ରେ କୌଣସି ବୃଦ୍ଧି ହୋଇନାହିଁ ବୋଲି ବିଚାର କରିହେବ ବୋଲି ଶ୍ରୀ ପୁରୀ କହିଛନ୍ତି। ସେ କହିଛନ୍ତି ଯେ ଜାତିସଂଘର ଅଂଶ ଥିବା ୧୯୩ଟି ଦେଶ ଯୁଦ୍ଧ ପରେ ତେଲ ଦର ବଢ଼ାଇଛନ୍ତି। ଭାରତ ବଢ଼ାଇଥିବା ଦର କେବଳ ଜାପାନଠାରୁ ସାମାନ୍ୟ ଅଧିକ ରହିଛି।ମଧ୍ୟପ୍ରାଚ୍ୟ ସଙ୍କଟ ପରେ ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ସରକାର ତେଲ ଉପରୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୧୦ ଟଙ୍କା ହ୍ରାସ କରିଥିଲେ। ତା ପୂର୍ବରୁ ୨୦୨୧ ନଭେମ୍ବର ଓ ୨୦୨୨ ମେ ମାସରେ ଟିକସ କମ୍ କରାଯାଇଥିଲା। ସେଥିପାଇଁ ଗ୍ରାହକମାନେ ସୁଲଭ ମୂଲ୍ୟରେ ପେଟ୍ରୋଲ ଓ ଡିଜେଲ କିଣିପାରିଥିଲେ। ମାତ୍ର ବହୁଦିନ ପର୍ଯ୍ୟନ୍ତ ଅଶୋଧିତ ତୈଳ ଦର ୧୦୦ ଡଲାର ଉପରେ ରହିବାରୁ ତୈଳ କମ୍ପାନିଗୁଡ଼ିକ ଦୈନିକ ୧୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିଥିଲେ। ସେହି କ୍ଷତି ଅସମ୍ଭାଳ ହେବା ପରେ ସରକାର ଦରବୃଦ୍ଧି ପାଇଁ ଅନୁମତି ଦେଇଥିଲେ। ତେଲ ଦର ବଢ଼ିବାରୁ ଦେଶରେ ଦରଦାମ୍ ବେଲଗାମ ହେବା, ପରିବହନ ଖର୍ଚ୍ଚ ବଢ଼ିବା ଓ ଘର ଚଳାଇବା କଷ୍ଟକର ହେବ ବୋଲି ଆଶଙ୍କା କରାଯାଉଛି। ଦରଦାମ୍ ବଢ଼ିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଛି।