ଓଡ଼ିଶାରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ କ୍ରମାଗତ 5 ଥର ଜିତି ଶାସନ କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଖୋଜା ଚାଲିଛି । ବିଶେଷ କରି ତିନୋଟି ନାମକୁ ନେଇ ବିଜେଡି ଦଳରେ ଯେତିକି ଓଡ଼ିଶାର ଜନସାଧାରଣଙ୍କ ମଧ୍ୟରେ ସେତିକି ଚର୍ଚା ହେଉଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକ ଓ ପ୍ରେମ ପଟ୍ଟନାୟକଙ୍କ ପ୍ରଥମ ସ୍ତ୍ରୀଙ୍କ ଝିଅ ଗାୟତ୍ରୀ ଏବଂ କେନ୍ଦ୍ରାପଡାର ଝିଅ ଆଇଏଏସ ସୁଜାତା କାର୍ତିକେୟନଙ୍କୁ ନେଇ ରାଜନୀତି ମହଲରେ ଯେଉଁ ଚର୍ଚା ଆରମ୍ଭ ହୋଇଛି ବିଜେଡି ସେଥିରେ ମୁହଁ ଖୋଲିନାହିଁ ।

ଗତ କିଛି ଦିନ ତଳେ ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ନବୀନ ବାବୁଙ୍କ ଉତ୍ତରାଧିକାରୀ ସୁଜାତା କାର୍ତିକେୟନ ବୋଲି କହିବା ପରେ ଦଳ ଭିତରେ ଗୁଞ୍ଜରଣ ସୃଷ୍ଟି ହୋଇଥିଲା ।

ପରବର୍ତ୍ତି ସମୟରେ ବିଜେଡିର ଉତ୍ତରାଧିକାରୀ ଓଡ଼ିଶାର ଜନସାଧାରଣ ଠିକ୍ କରିବେ ବୋଲି କୁଆଡ଼େ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । କେତେଦିନର ନିରବତା ପରେ ଉତ୍ତରାଧିକାରୀଙ୍କୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନରେ ପରିବାରବାଦକୁ ରାଜନୀତିକୁ ପ୍ରୋତ୍ସାହନ ଦେଇନଥିଲେ । ସଦା ସର୍ବଦା ସେ ମୋ ଓଡ଼ିଶା, ମୋ କଳିଙ୍ଗ କହିବାରେ ଗର୍ବ ଅନୁଭବ କରୁଥିଲେ । ଯେଉଁଥିପାଇଁ ବିଜୁବାବୁଙ୍କ ଦେହାନ୍ତ ପରେ ତାଙ୍କ ଲିଗାସିରେ ନବୀନ ପଟ୍ଟନାୟକ ରାଜନୈତିକ ରାସ୍ତାରେ ପାଦେଦଇ ସଫଳତା ପାହାଚ ଚଢ଼ିବାକୁ ସୁଯୋଗ ପାଇଥିଲେ ।

ଜନତାଦଳ ବିଭାଜନ ହେବା ପରେ ଜନତା ଦଳ ନେତା ବିଜୟ ମହାପାତ୍ରଙ୍କ ସମେତ ଅନେକ ତୁଙ୍ଗନେତା ବିଜେଡି ପ୍ରତିଷ୍ଠା କରିଥିଲେ । ସେମାନେ ଭଲଭାବେ ଜାଣିଥିଲେ ବିଜୁବାବୁଙ୍କ ପ୍ରତି ଜନସାଧାରଣଙ୍କ ଅହେତୁକ ଭଲପାଇବା ଓ ଅନୁକମ୍ପା ଓଡ଼ିଶାରେ ମ୍ୟାଜିକ ଭଳି କାମ କରିବ । ତାହା ମଧ୍ୟ ଓଡ଼ିଶାରେ ସଫଳ ହୋଇଛି ।
ଏଠାରେ କୁହାଯାଇପାରେ ଓଡ଼ିଶାର ଅର୍ଧାଧିକ ଅଞ୍ଚଳ ଗଡ଼ଜାତ ଓ ଜମିଦାରଙ୍କ ଶାସନ ଅଧିନରେ ରହିଥିଲା । ଯେଉଁମାନେ କ୍ଷମତା ଓ ମର୍ଯ୍ୟଦା ଗାଦିରେ ବସିଥିଲେ ତାଙ୍କର ଉତ୍ତରାଧିକାରୀଙ୍କୁ ନିର୍ବାଚନ ବେଳେ ରାଜନୈତିକ ଦଳ ଓ ଜନସାଧାରଣ ଗୁରୁତ୍ବ ଦେଇଛନ୍ତି । ବଲାଙ୍ଗୀର , କଳାହାଣ୍ଡି, ଆଳି, ସୁନ୍ଦରଗଡ଼, ଦେବଗଡ଼, ଖଲିକୋଟ ଆଦି ଅଂଚଳରେ ରାଜପରିବାରର ଉତ୍ତରଦାୟାଦମାନେ ରାଜନୈତିକ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି । ବିଜୁବାବୁଙ୍କ ପରେ ନବୀନ ବାବୁ ଯେଭଳି ରାଜନୈତିକ କ୍ଷେତ୍ରରେ ସଫଳତା ପାଇଛନ୍ତି । ସେଭଳି ଆଗକୁ ବିଜେଡି ଓ ନବୀନ ବାବୁଙ୍କ ଉତ୍ତରାଧିକାରୀ ବିଜେଡିର ଭବିଷ୍ୟତ ମଙ୍ଗ ଧରିବେ ବୋଲି ଏବେଠାରୁ ମାନସମନ୍ଥନ ଆରମ୍ଭ ହୋଇଛି ।
ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭାଇଙ୍କର ପ୍ରଥମ ସ୍ତ୍ରୀଙ୍କ ଝିଅ ଗାୟତ୍ରୀ ଓଡ଼ିଶା ଆଗମନ ପରେ ପୁଣି ଉତ୍ତରାଧିକାରୀ ନେଇ ଏବେ ଚର୍ଚା ଜୋର ଧରିଛି । ବିଜେଡିର ଅନେକ ନେତାଙ୍କ ପରିବାରର ସଦସ୍ୟଙ୍କୁ ମଧ୍ୟ ବିଜେଡିରେ ପ୍ରାଥମିକତା ଦିଆଯାଇ ନେତୃତ୍ବ ସୁଯୋଗ ଦିଆଯାଇଛି । ଯେପରି ପ୍ରଭାତ ବିଶ୍ବାଳଙ୍କ ପୁଅ, ଦାମ ରାଉତଙ୍କ ପୁଅ, ପ୍ରଦୀପ ମହାରଥୀଙ୍କ ପୁଅ, କଳ୍ପତରୁ ଦାସଙ୍କ ପୁଅ, ଅଶୋକ ଦାସଙ୍କ ପୁଅ, ବିଷ୍ଣୁ ଦାସଙ୍କ ପୁଅ, ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ଭଳି ଅନେକ ବରିଷ୍ଠ ରାଜନେତାଙ୍କ ପୁଅ, ଝିଅ, ପତ୍ନୀ ଏବେ ନିର୍ବାଚନ ଜିତି କ୍ଷମତା ଉପଭୋଗ କରୁଛନ୍ତି । ବିଜେଡି ଦୀର୍ଘଦିନ ଓଡ଼ିଶାର ଶାସନ କ୍ଷମତାରେ ଥିବାବେଳେ ଆଗକୁ ଅଧିକ ଶକ୍ତିଶାଳୀ ହୋଇ ଓଡ଼ିଶାରେ ରାଜୁତି କରିବ ବୋଲି ଏବେଠାରୁ ଅଙ୍କକଷିବା ଆରମ୍ଭ କରିଛି । ବୟସ ସ୍ବାର୍ଥ ଦୃଷ୍ଟିରୁ ନବୀନ ବାବୁଙ୍କର ଉତ୍ତରାଧିକାରୀ ବିଜେଡିର ଭବିଷ୍ୟତର ନେତୃତ୍ବ ନେବେ ବୋଲି ଆଲୋଚନା ଜୋର ଧରିଛି । ବିଜେଡି ପକ୍ଷରୁ ଏଥିନେଇ ସଂପୂର୍ଣ୍ଣ ନିରବତା ଅବଲମ୍ବନ କରାଯାଉଥିବା ବେଳେ ଚର୍ଚା କିନ୍ତୁ ଥମୁନାହିଁ ।
କଂଗ୍ରସର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ଜାମାତା ସୈାମ୍ୟରଂଜନ ପଟ୍ଟନାୟକ ମଧ୍ୟ କଂଗ୍ରସରେ ସଫଳତା ନପାଇବାରୁ ବିଜେଡିରେ ଯୋଗଦେଇ ନିଜ ଲକ୍ଷ୍ୟ ହାସଲ କରିବାରେ ସମର୍ଥନ ହୋଇଛନ୍ତି । ଦିନକୁ ଦିନ ବିଜେଡି ବଢ଼ି ବଢ଼ି ଚାଲିଥିବା ବେଳେ ବିରୋଧୀମାନେ ତଳକୁ ତଳ ଯାଉଛନ୍ତି । ଏପରକି ଜାନୀକ ବାବୁଙ୍କ ଦେହାନ୍ତ ପରେ ବିଜେଡିର ମୁକାବିଲା କରିବାରେ ବିଜେପି ଓ କଂଗ୍ରେସ ଅସମର୍ଥ ହୋଇଛନ୍ତି ।