ଭୁଶୁଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା ,ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

ଦିଲ୍ଲୀ ଚାୱଡ଼ି ବଜାର ଅଞ୍ଚଳରେ ଏକ ନିର୍ମାଣାଧୀନ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏହି ଘଟଣାରେ ଅନେକ ଲୋକ ଭଙ୍ଗା କୋଠା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଖବର ମୁତାବକ, ଗୁରୁବାର ସକାଳ ୯ଟା ୫୦ ମିନିଟରେ ଗଳି ସତ୍ତାରା, ଶୀଶ ମହଲ ଅଞ୍ଚଳରେ ମେଟ୍ରୋ ଷ୍ଟେସନ ସମ୍ମୁଖରେ କୋଠା ଭୁଶୁଡ଼ିବା ନେଇ ସୂଚନା ମିଳିଥିଲା । ଏହାପରେ ତୁରନ୍ତ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ମୋଟ ୬ଟି ଗାଡ଼ି ନିୟୋଜିତ ହୋଇଛି । ଭଙ୍ଗା କୋଠାର ମାଟି ଓ ଆବର୍ଜନା ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କୋଠାରେ ନିର୍ମାଣ କାମ ଚାଲିଥିଲା । ସକାଳ ପ୍ରାୟ ୧୦ଟା ସମୟରେ ହଠାତ୍ ଏହା ଭୁଶୁଡ଼ି ପଡ଼ିଥିଲା । ତେବେ ଘଟଣା ସମୟରେ କୋଠା ଭିତରେ କେତେ ଜଣ ଲୋକ ଥିଲେ ଏବଂ କେତେ ଜଣ ପ୍ରଭାବିତ ହୋଇଛନ୍ତି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଅଞ୍ଚଳଟି ଅତ୍ୟନ୍ତ ସଂକୀର୍ଣ୍ଣ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ କିଛି ସମସ୍ୟା ହେଉଛି ।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୬ ତାରିଖରେ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା । ସେଠାରେ ଏକ ପିଜି ଚାଲୁଥିବା ବେଳେ ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଦିଲ୍ଲୀରେ ବିପଦପୂର୍ଣ୍ଣ କୋଠାଗୁଡ଼ିକୁ ଚିହ୍ନଟ କରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିଲା ।

Leave a comment