ବହୁ ଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା : ଜେଲ୍ ଗଲେ ବିଦ୍ୟାଭାରତୀ ପଣ୍ଡା

ଜେଲ୍ ଗଲେ ବିଦ୍ୟାଭାରତୀ ପଣ୍ଡା । ବହୁ ଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଜେଲ୍ ଯାଇଛନ୍ତି ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା । ବିଦ୍ୟାଭାରତୀ ସକାଳେ ପାରଳାଖେମୁଣ୍ଡି SDJM କୋର୍ଟରେ ଆତ୍ମସମର୍ପଣ କରିଥିଲେ । ହାଇକୋର୍ଟରୁ ନିରାଶ ହେବା ପରେ କୋର୍ଟରେ ସରେଣ୍ଡର କରିଥିଲେ । କୋର୍ଟ ତାଙ୍କ ଜାମିନ ଅବେଦନକୁ ଖାରଜ କରିବା ସହ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦେଇଛନ୍ତି । ଆତ୍ମସମର୍ପଣ ପରେ ପାରଳାଖେମୁଣ୍ଡି ସବ୍ ଜେଲ୍ ଗଲେ ବିଦ୍ୟାଭାରତୀ । ବିଦ୍ୟାଭାରତୀଙ୍କ ପୂର୍ବରୁ ଏହି ମାମଲାରେ ତତ୍କାଳୀନ DFO ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ ଆତ୍ମସମର୍ପଣ କରି ପାରଳାଖେମୁଣ୍ଡି ଜେଲ୍ରେ ବିଚରାଧୀନ ବନ୍ଦୀ ଭାବେ ରହିଛନ୍ତି ।ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ପାରଳାଖେମୁଣ୍ଡି ଥାନାରେ IPCର ଧାରା ୩୦୨ ( ହତ୍ୟା ) ଏବଂ ୧୨୦-B ( ଅପରାଧିକ ଷଡଯନ୍ତ୍ର ) ଅନୁଯାୟୀ ଏତଲା ହୋଇଥିଲା । ତଦନ୍ତ ପରେ ପୋଲିସ କେବଳ ବିଦ୍ୟାଭାରତୀଙ୍କ ବିରୋଧରେ IPC ୩୦୪-A ଅନୁସାରେ ଚାର୍ଜସିଟ୍ ଦାଖଲ କଲା । ଯାହାକୁ ଚ୍ୟାଲେଞ୍ଜ କରି ମୃତ ସୌମ୍ୟଙ୍କ ପରିବାର ପକ୍ଷରୁ ପ୍ରୋଟେଷ୍ଟ ପିଟିସନ୍ ଦାୟର ହୋଇଥିଲା । crpcର ଧାରା ୨୦୨ ଅନୁସାରେ ସାନି ତଦନ୍ତ ହେଲା ଏବଂ ବିଦ୍ୟାଭାରତୀ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ହତ୍ୟା ଓ ଅପରାଧିକ ଷଡଯନ୍ତ୍ର ଭଳି ସଂଗୀନ ଦଫାରେ ମୋକଦ୍ଦମା ଚାଲିବ ବୋଲି ନିର୍ଦ୍ଦେଶ ହୋଇଥିଲା । ଯାହାକୁ ଚ୍ୟାଲେଞ୍ଜ କରି ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ୨୦୨୫ ଜୁଲାଇ ୩ ତାରିଖରେ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ମାମଲାରେ ପକ୍ଷଭୁକ୍ତ ହେବାଲାଗି ତାଙ୍କୁ ନିମ୍ନ ଅଦାଲତରେ ହାଜର ହେବାକୁ ପଡିବ ବୋଲି ଆଦେଶ ଦେଲେ ହାଇକୋର୍ଟ । ହେଲେ ହାଜିରାରୁ ବର୍ତ୍ତିବା ଲାଗି ହାଇକୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଆଇନର ଆଶ୍ରୟ ନେଇଥିଲେ ବିଦ୍ୟାଭାରତୀ । କିନ୍ତୁ ସବୁଥର ତାଙ୍କୁ ନିରାଶ ହେବାକୁ ପଡିଥିଲା । ତାଙ୍କ ପାଇଁ ଶେଷ ସୁଯୋଗ ଥିବା ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ ହାଇକୋର୍ଟ । ତେବେ ଆଗକୁ ହୁଏତ ସୁପ୍ରିମକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିପାରନ୍ତି ବିଦ୍ୟାଭାରତୀ । ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତତ୍କାଳୀନ ପାରଳାଖେମୁଣ୍ଡି ଡିଏଫଓ ଏବଂ ସୌମ୍ୟରଞ୍ଜନଙ୍କ ରୋଷେୟା ଗିରଫ ହୋଇସାରିଛନ୍ତି । ଆଗକୁ ହୁଏତ ବିଦ୍ୟାଭାରତୀଙ୍କ ପାଳି ପଡିପାରେ । ଅକ୍ଟୋବର ମାସ ୬ ତାରିଖରେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱରସ୍ତ ହୋଇଥିଲେ ବିଦ୍ୟାଭାରତୀ । ଯାହାର ଶୁଣାଣି କରି ଅକ୍ଟୋବର ୩୧ ତାରିଖରେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୧ ଜୁଲାଇ ୧୧ ତାରିଖ ରାତିରେ ACF ସୌମ୍ୟରଞ୍ଜନ ମହାପାତ୍ର ଅତି ସନ୍ଦେହଜନକ ଅବସ୍ଥାରେ ପୋଡ଼ି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତା’ ପରଦିନ ତାଙ୍କର ମୃତ୍ୟୁ ହୋଇଥିଲା । ମାମଲାର ତଦନ୍ତ କରି ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ସହ ତତ୍କାଳୀନ DFO ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ୍ ଦେଇଥିଲା କ୍ରାଇମବ୍ରାଞ୍ଚ । ଏହାକୁ ଚ୍ୟାଲେଞ୍ଜ କରି ସୌମ୍ୟରଞ୍ଜନଙ୍କ ପରିବାର ପାରଳାଖେମୁଣ୍ଡି SDJM କୋର୍ଟରେ ମାମଲା ଦାଏର କରିଥିଲେ । ଉକ୍ତ ଆବେଦନର ଶୁଣାଣି କରି ପାରଳାଖେମୁଣ୍ଡି SDJM କୋର୍ଟ ଏହି ୩ ଜଣଙ୍କ ବିରୋଧରେ IPC ର ଦଫା ୩୦୨ ହତ୍ୟା ଏବଂ IPC ୧୨୦- ବି, ଅପରାଧିକ ଷଡଯନ୍ତ୍ର ରଚିବା ମକଦ୍ଦମା ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ବାରମ୍ବାର ସମନ ସତ୍ତ୍ବେ ହାଜର ନହେବାରୁ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୨୦୨୩ ମସିହାରେ ଜାମିନ ବିହୀନ ଗିରଫ ପରଓ୍ବାନା ବା NBW ଜାରି ହୋଇଥିଲା ।

Leave a comment