ବାତ୍ୟା ‘ମୁରାସୁ’ର ସିଧାସଳଖ ଓଡ଼ିଶା ଉପରେ ବଡ଼ ପ୍ରଭାବ ପଡ଼ିବନି,କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ

ବାତ୍ୟା ‘ମୁରାସୁ’ର ସିଧାସଳଖ ଓଡ଼ିଶା ଉପରେ ବଡ଼ ପ୍ରଭାବ ପଡ଼ିବନି । ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବା ସହ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।  ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ବର୍ଷା ହେବ। ବିଶେଷ ଦକ୍ଷିଣ ଓଡ଼ିଶା ଉପରେ ରହିଛି ପୁଣି ବର୍ଷା ବିପଦ। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଂକା ରହିଛି ।  ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଏହି ୫ ଜିଲ୍ଲାକୁ ଆଜି ଓ ଆସନ୍ତାକାଲି ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେହିପର ୫ ତାରିଖରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ବର୍ଷା ସହ ୪୦ ରୁ ୫୦ କିଲୋମିଟର ବେଗରେ ବହିପାରେ ପବନ। ଝଟକା ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ହୋଇପାରେ।

ଆକଳନ କରିଛି ଆଇଏମଡି। ଜଗପତି ଜିଲ୍ଲା କାଶୀନଗର ଏନ୍ ଏସି ପକ୍ଷରୁ ମାଇକ୍ ଯୋଗେ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏଥିସହ ଲୋକମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ପଦକ୍ଷେପ ଅବଲମ୍ବନ କରିବା ସହ ସତର୍କ ରହିବାକୁ ଅନୁରୋଧ କରାଯାଉଛି। ବାତ୍ୟା ମୁରାସୁ ପାଇଁ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି ।

Leave a comment