ଫାଟିଲା ହିମହ୍ରଦ ,ସୋଲାର ଇରିଗେସନ୍ ଲିପ୍ଟିଂ ସିଷ୍ଟମ ନଷ୍ଟ
ଟାନରେ ହିମହ୍ରଦ ଫାଟିଲା । ଭୁଟାନରେ ହିମହ୍ରଦ ଫାଟିବା ପରେ ଭାରତର ଦୁଇ ରାଜ୍ୟରେ ବନ୍ୟା ଆତଙ୍କ । ପଶ୍ଚିମବଙ୍ଗ ଓ ଆସାମରେ ହାଇଆଲର୍ଟ ଜାରି ହୋଇଛି । ଭୁଟାନର ଏକ ହିମହ୍ରଦରୁ ହଠାତ୍ ବିପୁଳ ପରିମାଣର ଜଳ ନିଷ୍କାସିତ ହେବା ଫଳରେ ଆକସ୍ମିକ ବନ୍ୟା ସୃଷ୍ଟି ହୋଇଛି । ଗ୍ଲେସିୟର ହ୍ରଦ ଫାଟିବା ଯୋଗୁ ଦୋଛୁକା-ଜୋମଲିଙ୍ଗଥାଙ୍ଗ-ରିସ୍ଥାଚିବୋକରେ ଥିବା ସୋଲାର ଇରିଗେସନ୍ ଲିପ୍ଟିଂ ସିଷ୍ଟମ ନଷ୍ଟ ହୋଇଯାଇଛି । ବନ୍ୟା ଆସିବା ପରେ ଏଠିକାର ସିଷ୍ଟମ ବନ୍ଦ କରାଯାଇଛି । ଏହାର ପ୍ରଭାବରେ ଭାରତ ଦେଇ ପ୍ରବାହିତ ସଙ୍କୋଶ ନଦୀର ଜଳସ୍ତର ଅଚାନକ ବୃଦ୍ଧି ପାଇବାର ଆଶଙ୍କା ଦେଖାଦେଇଛି ।
ନଦୀକୂଳ ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଆସାମର ଧୁବ୍ରୀ ଜିଲ୍ଲାରେ ମଧ୍ୟ ପ୍ରଶାସନ ସଜାଗ ହୋଇଉଠିଛି । ସଙ୍କୋଶ ନଦୀର ତଳମୁଣ୍ଡରେ ବନ୍ୟାଜଳ ପହଞ୍ଚିଲେ କିଭଳି ପରିସ୍ଥିତି ସୃଷ୍ଟି ହୋଇପାରେ, ତାକୁ ନଜରରେ ରଖି ପ୍ରସ୍ତୁତି ଜୋରଦାର କରାଯାଇଛି। ବିଶେଷକରି ନଦୀ ନିକଟବର୍ତ୍ତୀ ଜନବସତି ପାଇଁ ଆକସ୍ମିକ ଜଳସ୍ତର ବୃଦ୍ଧି ବଡ଼ ବିପଦ ହୋଇପାରେ। ପାହାଡ଼ ଉପରେ ଥିବା ହିମବାହ ତରଳିବା ଫଳରେ ଜମା ହେଉଥିବା ପାଣିରୁ ହିମହ୍ରଦ ସୃଷ୍ଟି ହୁଏ ।
ଏହି ହ୍ରଦର ପ୍ରାକୃତିକ ବନ୍ଧ ଭାଙ୍ଗିଗଲେ ଅଳ୍ପ ସମୟ ମଧ୍ୟରେ ବିପୁଳ ପରିମାଣର ପାଣି ତଳକୁ ମାଡ଼ିଆସେ । ଏହାକୁ ଗ୍ଲାସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ ବା GLOF କୁହାଯାଏ । ଏଭଳି ବନ୍ୟାରେ ନଦୀର ଜଳସ୍ତର ଅତି ଦ୍ରୁତ ଗତିରେ ବଢ଼ିପାରେ। ହିମାଳୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ଓ ହିମବାହ ତରଳିବା ଯୋଗୁଁ ହିମହ୍ରଦ ସମ୍ପର୍କିତ ବିପଦ ନେଇ ଦୀର୍ଘଦିନ ଧରି ବୈଜ୍ଞାନିକମାନେ ସତର୍କ କରାଇଆସୁଛନ୍ତି । ତେବେ ଭୁଟାନରେ ଘଟିଥିବା ଏହି ନିର୍ଦ୍ଦିଷ୍ଟ ଘଟଣା ପଛର କାରଣ ସମ୍ପର୍କରେ ଅଧିକ ତଥ୍ୟ ଆବଶ୍ୟକ ।