ନାଇଜେରିଆର ସେନା ଗାଡ଼ି ଉପରେ ଆକ୍ରମଣ,ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଓ ଗୁଳିମାଡ଼ରେ ଅତି କମରେ ୧୫ ଜଣ ମୃତ

ନାଇଜେରିଆର ଉତ୍ତର-ପୂର୍ବ ବୋର୍ନୋ ରାଜ୍ୟରେ ସେନା ଗାଡ଼ି ଉପରେ ଆକ୍ରମଣ ହୋଇଛି । ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଓ ଗୁଳିମାଡ଼ରେ ଅତି କମରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି   । ସୂଚନା ଅନୁସାରେ, ଶନିବାର ଗାମ୍ବୋରୁ ବାଟାଲିୟନର ସୈନିକମାନେ ଗାମ୍ବୋରୁ ନଗାଲା ଓ ପଡ଼ୋଶୀ ଦେଶ କାମେରୁନକୁ ସଂଯୋଗ କରୁଥିବା ରାସ୍ତାରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ ପିକ୍ଅପ୍ ଟ୍ରକ୍ ତଳେ ବିଛାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଏହାପରେ ସେନା ଗାଡ଼ି ଉପରେ ଗୁଳିମାଡ଼ କରାଯାଇଥିଲା । ଏହି ବିସ୍ଫୋରକ ବୋକୋ ହାରାମ୍ ବିଦ୍ରୋହୀମାନେ ବିଛାଇଥିବା ସନ୍ଦେହ କରାଯାଉଛି।

ଗୋଟିଏ ଗାଡ଼ିରେ ଥିବା ୮ ଜଣ ସୈନିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପରେ ଆକ୍ରମଣକାରୀମାନେ ଅନ୍ୟ ଏକ ଗାଡ଼ି ଉପରେ ଗୁଳିମାଡ଼ କରିଥିଲେ । ଏଥିରେ ଆଉ ୨ ଜଣ ସୈନିକ ଏବଂ ସିଭିଲିଆନ୍ ଜଏଣ୍ଟ ଟାସ୍କ ଫୋର୍ସର ୫ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣା ଉପରେ ନାଇଜେରିଆ ସେନାର ମୁଖପାତ୍ର କ୍ୟାପ୍ଟେନ୍ ମହମ୍ମଦ ଗୋନି କୌଣସି ମନ୍ତବ୍ୟ ଦେବାକୁ ମନା କରିଛନ୍ତି ।

ଗତ ସପ୍ତାହରେ ମଧ୍ୟ ବୋର୍ନୋ ରାଜ୍ୟର ଏକ ସେନା ଘାଟି ଉପରେ ବୋକୋ ହାରାମର ସନ୍ଦିଗ୍ଧ ଯୋଦ୍ଧାମାନେ ଯୋଜନାବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ଅତି କମରେ୧୦ ଜଣ ସୈନିକଙ୍କ ମୃତ୍ୟୁ ହେବା ସହ ଅନ୍ୟ ୨୦ ଜଣ ଆହତ ହୋଇଥିଲେ ।

Leave a comment